jayashree

କଲୁଙ୍ଗା ଉଚ୍ଚ ବିଦ୍ୟାଳୟରେ ପାଳିତ ହେଲା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କଳୁଙ୍ଗା ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୬” କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୧୦ଟା ସମୟରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ଏହି ଶିଶୁ ମହୋତ୍ସବର ଶୁଭ ଉଦ୍‌ଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ପିଲାମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ବାହାର କରିବା ପାଇଁ ସୁରଭି ଏକ ସୁନ୍ଦର ମଞ୍ଚ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସଂଯୁକ୍ତା ବିନ୍ଦୁ ବାର୍ଲା, ଗର୍ଜନ ଓ ବଲଣ୍ଡା ସରପଞ୍ଚ, କଲୁଙ୍ଗା ‘ବି’ ସରପଞ୍ଚ ଫେର୍ଡି ନନ୍ଦ ମିଞ୍ଜ, ସମାଜସେବୀ ଅକୁଳ ଚନ୍ଦ୍ର ପ୍ରଧାନ ଏବଂ ଏବିଇଓ ତଥା ବିଆରସିସି ଶ୍ରୀମତୀ ସିଲବିଆ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ୪୦ରୁ ଅଧିକ ବିଦ୍ୟାଳୟର ୪୫୦ରୁ ଅଧିକ ଛାତ୍ରଛାତ୍ରୀ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, କାହାଣୀ କଥନ ଓ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଅପରାହ୍ନ ୨ଟା ସମୟରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ତଥା ଜିଲ୍ଲା ପରିଷଦ ସଦସ୍ୟ ଭୁବୁନୁ କୁଜୁର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କଲୁଙ୍ଗା ‘ଏ’, କଲୁଙ୍ଗା ‘ବି’ ଓ ଲୁଙ୍ଗେଇର ସରପଞ୍ଚମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ସା ସଂଯୋଜନା କରିଥିବା ବେଳେ ଆୟୋଜନ ସମ୍ପାଦିକା ତଥା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନା ଗୋଖରା, ମଞ୍ଚ ପରିଚାଳନାରେ ମନୋଜ ତାଜନ, ରାଜେଶ ସେଠୀ, ମଳୟ ରଞ୍ଜନ ବେହେରା, ସୁନୀଲ ଦାସ, ପାର୍ଥ ସାରଥୀ ମହଲ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବ୍ଲକ ଶିକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.