
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ଧାନ୍ଧୁପାଲି ସଂରକ୍ଷିତ ଜଙ୍ଗଲରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ବିରୋଧରେ ପାଇକମାଲ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ଓ ରନ୍ଧାମଦ ଜବତ କରାଯାଇଛି । ଚଢ଼ାଉ ସମୟରେ ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାରୁ କାହାରିକୁ ଗିରଫ କରାଯାଇପାରିନାହିଁ । ପ୍ରାପ୍ତ ସୂଚନାନୁଯାୟୀ, ବରଗଡ଼ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ପାଇକମାଲ ଅବକାରୀ ଓଆଇସି ବଳରାମ ପ୍ରଧାନଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଏକ ଟିମ୍ ଧାନ୍ଧୁପାଲି ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରିଥିଲା । ବିଶ୍ୱସ୍ତ ସୂତ୍ରରୁ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ମହୁଲ ପୋଚ ପ୍ରସ୍ତୁତ କରି ରନ୍ଧାମଦ ତିଆରି କରାଯାଉଥିବା ଖବର ପାଇ ଏହି ଚଢ଼ାଉ ହୋଇଥିଲା । ଅବକାରୀ ଟିମ୍କୁ ଦେଖିବା ପରେ ସେଠାରେ ଥିବା ମଦ ପ୍ରସ୍ତୁତକାରୀମାନେ ଜଙ୍ଗଲର ସୁଯୋଗ ନେଇ ଫେରାର ହୋଇଯାଇଥିଲେ । ଚଢ଼ାଉ ବେଳେ ଘଟଣାସ୍ଥଳରୁ ପ୍ରାୟ ୨୦୦ ଲିଟର ରନ୍ଧାମଦ ଜବତ କରାଯାଇଥିବା ବେଳେ ୨୦୦୦ ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି । ଚଢାଉ ସମୟରେ ଓଆଇସି ବଳରାମ ପ୍ରଧାନଙ୍କ ସମେତ ମୁକେଶ ବିଶ୍ୱାଳ, ରାଜେଶ ସାହୁ, ଅହଲ୍ୟା ମାଝୀ ସାମିଲ ଥିଲେ । ବେଆଇନ ମଦ ପ୍ରସ୍ତୁତି ଓ ଚୋରା କାରବାର ଉପରେ ଅବକାରୀ ବିଭାଗ ପକ୍ଷରୁ ଆଗାମୀ ଦିନରେ ମଧ୍ୟ କଡ଼ା ନଜର ରଖାଯିବ ବୋଲି ଜଣାପଡ଼ିଛି । ବିଭିନ୍ନ ସ୍ଥାନରେ ବେଆଇନ ମଦ ପ୍ରସ୍ତୁତି ସମ୍ପର୍କରେ ସୂଚନା ମିଳିଲେ ତୁରନ୍ତ ଚଢ଼ାଉ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।