
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାତାଳି ଶ୍ରୀକ୍ଷେତ୍ରରେ ଘଟିଛି ଏକ ଦୁଃଖ ଦାୟକ ଘଟଣା । ପାତାଳୀ ଜଗନ୍ନାଥ ଦର୍ଶନ ସାରି ଉପରକୁ ବୁଲିବାକୁ ଯାଇଥିବା ବେଳେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ଚିରଞ୍ଜିବୀ ଦାସ(୨୩) । ପ୍ରବଳ ଖରା ହେଉଥିବା ବେଳେ ପାହାଡ ଉପରକୁ ବୁଲିବାକୁ ଯାଇ ଅଂଶୁଘାତ ଯୋଗୁଁ ପାହାଡ଼ରୁ ଯୁବକ ଜଣକ ଖସିପଡ଼ି ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଘଟଣା ଜଣାପଡ଼ିବା ପରେ ଘଟଣା ସ୍ଥଳରେ ପ୍ରଥମେ ପୋଲିସ ପହଞ୍ଚିବା ପରେ ଉଲୁଣ୍ଡା ଅଗ୍ନିଶମ ବିଭାଗ ପାହାଡ଼ରୁ ଯୁବକ ଶବ ଉଦ୍ଧାର କରିଛନ୍ତି । ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଅଞ୍ଚଳର ଅରବିନ୍ଦ ଦାସ ବରଗଡ଼ ଜିଲ୍ଲା ଅତାବିରା ରେଳ ବିଭାଗର ଗ୍ରୁପ-ଡିରେ ଚାକିରି କରନ୍ତି । ତାଙ୍କ ସାନଭାଇ ଚିରଞ୍ଜିବୀ ଦାସ ଅନ୍ୟ ଦୁଇ ଜଣ ସାଙ୍ଗ ସ୍ୱରାଜ ସ୍ୱାଇଁ ଓ ସୁପ୍ରିମ ନାଏକଙ୍କ ସହ ବରଗଡ଼ ଜିଲ୍ଲା ଅତାବିରା ବୁଲିବାକୁ ଆସିଥିଲେ । ବରଗଡ଼ ଅଞ୍ଚଳର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବା ପରେ ଗୁରୁବାର ପାତାଳୀ ଶ୍ରୀକ୍ଷେତ୍ର ବୁଲିବାକୁ ଆସିଥିଲେ । ସାଙ୍ଗରେ ଅରବିନ୍ଦଙ୍କ ପତ୍ନୀ ମଧ୍ୟ ଆସିଥିଲେ । ସ୍ୱରାଜ ସ୍ଵାଇଁଙ୍କ କହିବା ଅନୁସାରେ ପାଞ୍ଚ ଜଣ ମିଶି ପାତାଳୀରେ ପହଞ୍ଚିବା ପରେ ଦିନ ପ୍ରାୟ ୨ ଟା ବେଳେ ପାହାଡ଼ ଚଢ଼ିଥିଲେ । ପାହାଡ଼ ଚୂଡ଼ାକୁ ଯାଇ ଫଟୋ ଉଠାଇବା ପରେ ସେମାନେ ତଳକୁ ଆସିଥିଲେ । ସ୍ଵରାଜ ଓ ସୁପ୍ରିମ ପ୍ରଥମେ ତଳକୁ ଆସିଥିବା ବେଳେ ମୃତକ ଚିରଞ୍ଜିବୀ ତାଙ୍କ ଦାଦା, ଭାଉଜଙ୍କ ସହ ଉପରେ ରହିଥିଲେ । ଦାଦା ଓଭାଉଜ ତଳକୁ ଓହ୍ଲାଉଥିବା ବେଳେ ଚିରଞ୍ଜିବୀଙ୍କ ଫୋନ ଆସିବାରୁ ସେ କଥା ହୋଇ ଫେରୁଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲ ନଲାଗିବାରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନଥିଲେ । ଶେଷରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ ଟାରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଅନ୍ଧାରରେ ଅନେକ ଖୋଜାଖୋଜି କରି ତାଙ୍କୁ ଅଚେତ ଅବସ୍ଥାନରେ ଉଦ୍ଧାର କରିଥିଲେ । ପାହାଡ଼ ଉପରେ ଦୁର୍ଗମ ରାସ୍ତାରେ ତଳକୁ ଆଣିବା ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟକୁ ଆଣିଥିବା ଅଗ୍ନିଶମ ବିଭାଗ ଅଧିକାରୀ ଭାବନନ୍ଦ ଦେ ସୂଚନା ଦେଇଛନ୍ତି ।