- ପ୍ରୟାସ ତରଫରୁ ନାଟକ ସୂର୍ଯ୍ୟୋଦୟ ପୂର୍ବେ ମଞ୍ଚସ୍ଥ
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷକତା ଏବଂ ଆର୍ଏସ୍ପି ଆନୁକୂଲ୍ୟରେ ‘ଏକତ୍ର’ ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ଦଶମ ସନ୍ଧ୍ୟାରେ ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ନାଟ୍ୟାନୁଷ୍ଠାନ ପ୍ରୟାସ ତରଫରୁ ନାଟକ ସୂର୍ଯ୍ୟୋଦୟ ପୂର୍ବେ ମଂଚସ୍ଥ ହୋଇଯାଇଛି । ନାଟକର କାହାଣୀ ହେଉଛି ଫକୀର ମୋହନଙ୍କ “ଡାକ ମୁନସୀ”ର ଚରିତ୍ର ଗୋପାଳ ଭଳି ଚରିତ୍ର ଯୁଗେଯୁଗେ ଆମ ସମାଜରେ ଦେଖା ଦିଅନ୍ତି ଓ ମନେ ପକାଇ ଦିଅନ୍ତି ଡାକ ମୁନସୀର ଚରିତ୍ର ମାନଙ୍କୁ । ତେବେ ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟକ ସୂର୍ଯ୍ୟୋଦୟ ପୂର୍ବେରେ ସମସ୍ୟା ଓ ସମାଧାନ ଉଭୟକୁ ଉପସ୍ଥାପନା କରାଯାଇଛି । ଗୋପାଳର ଭିନ୍ନ ରୂପ ଶାନ୍ତନୁକୁ ଆପଣ ନାଟକରେ ଦେଖିବାକୁ ପାଇବେ । ସନ୍ତାନ ଦ୍ୱାରା ପ୍ରତାଡିତ ପିତା- ମାତାଙ୍କ ଜୀବନର ଏହି ଘୋର ଅନ୍ଧକାର ରାତିର ସୂର୍ଯ୍ୟୋଦୟ କେମିତି ହୋଇଛି, ତାକୁ ନେଇ ଗତିଶୀଳ ହୋଇଛି ନାଟକ । ନାଟକର ନାଟ୍ୟକାର ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନା, ନିର୍ଦ୍ଦେଶକ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ସେଠି, ସଂଗୀତରେ ସୁଶାନ୍ତ ଦଳାଇ, ଦୀନେଶ ନନ୍ଦ, ମଞ୍ଚ ସଜ୍ଜାରେ ରମେଶ ସାହୁ, ସ୍ମାରକ ସହଯୋଗ କରିଥିଲେ । ଅଭିନୟରେ ଜୟନ୍ତ ମହାପାତ୍ର, ଶୁଭେନ୍ଦୁ ସାମଲ, ରାଜେଶ ରାୟ, ପ୍ରଫୁଲ୍ଲ ଚନ୍ଦ୍ର ସେଠି, ନିବେଦିତା ଜେନା, ସନ୍ତୋଷିନୀ ବାରିକ, ଗଙ୍ଗାଧର ରାଉତ, ଅଭିଳାଷ ସାହୁ, ବିଶ୍ୱଜିତ ଦାଶ, ରାମଚନ୍ଦ୍ର ଗୌଡ଼, ଅମିଶା ମିଶ୍ର, ଲକ୍ଷ୍ମୀ ନାରାୟଣ ପ୍ରଧାନ ପ୍ରମୁଖ ଅଭିନୟ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଗଙ୍ଗା ଜେନା ସଭାପତିତ୍ୱ କରିଥିଲାବେଳେ ମୁଖ୍ୟଅତିଥି ଭାବେ ଆର୍ଏସ୍ପିର ପ୍ରାକ୍ତନ ଇଡି ପ୍ରଦୀପ କୁମାର ସାହୁ ଯୋଗ ଦେଇ କହିଲେ ଯେ, ମନୁଷ୍ୟ ଜୀବନର ଅଭିବୃଦ୍ଧିରେ ନାଟକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଉଦଘାଟକ ଭାବେ ରିମସର ଅଧକ୍ଷା ଶ୍ରୀମତୀ ନଳିନୀପ୍ରଭା ପଟ୍ଟନାୟକ ଓ ମୁଖ୍ୟ ଦର୍ଶକ ଭାବେ ଚିନ୍ମୟ ବିଦ୍ୟାଳୟର ପ୍ରିନସିପାଲ ଶର୍ମିଷ୍ଠା କବି ଶତପଥି, ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ ମୁଖପାତ୍ର ଧିରେନ ସେନାପତି ଯୋଗଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ନାଟକ ଆମ ସାମାଜିକ ଜୀବନ ସହ ସାମଞ୍ଜସ୍ୟ ରଖୁଥିବାରୁ ଏହା ଅଧିକ ଆଦୃତ ହୋଇପାରୁଛି । ସେହିପରି ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କାର ପାଇଁ ନାଟକ ଉପଯୋଗୀ ବୋଲି ମତ ରଖିଥିଲେ । ପ୍ରସନ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଝିଲିମା ମହାନ୍ତି ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଏକତ୍ର ପକ୍ଷରୁ, ଡ଼ା. କୃପାସିନ୍ଧୁ ନାୟକ, ରାଜୀବ ପାଣି, ଡ. ସମର ମୁଦାଲି, ପ୍ର. ପ୍ରଭାତ କୁମାର ମଲ୍ଲିକ, ବିଜୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଳୟ ଶତପଥୀ, ପ୍ରଦୀପ କୁମାର ନାୟକ, ପ୍ରଜ୍ଞାନନ୍ଦ ମହାନ୍ତି, ଅକ୍ଷୟ ଧଳ, ନିରୁପମା ପତି, ଆଲୋକ ବୋଷ, ଡ଼. ସୁମନ ଦତ୍ତ, ପ୍ରବୀର ଜେନା ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ନାଟକର ନିର୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ସେଠିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରୟାସ ଅନୁଷ୍ଠାନର ଗବେଷଣା ଧର୍ମୀ ନାଟ୍ୟ ପତ୍ରିକା ‘ପୂର୍ବରଙ୍ଗ’ର ଲୋକନାଟକ ବିଶେଷଙ୍କକୁ ଅତିଥିମାନେ ଲୋକାର୍ପଣ କରିଥିଲେ ।