jayashree

କବିତା : ଯାତ୍ରା

  • ହେମାଙ୍ଗିନୀ ଦାଶ

ମିଠା ମିଠା ଦୁଇ ମୁଠା
ସ୍ୱପ୍ନକୁ ମୁଠାଇ
ଧାଇଁ ଧାଇଁ କେତେଦୂର ଗଲି
କେଜାଣି,
ଅଣନିଃଶ୍ଵାସୀ ହେଇ
ଥକ୍କା ମାରିଲା ବେଳକୁ
ସଞ୍ଜ ଆସି ରତରତ ହେଲାଣି ।

ମୁଠା ଖୋଲିଲା ବେଳକୁ
ଶୂନ୍ୟତାରେ ଭରିଥିଲା
ଦୁଇ ହାତ,
ଫେଲ୍‌ ମାରିଥିଲା
ଜୀବନର ଯାବତୀୟ ଗଣିତ ।

ମୁଠା ଦୁଇ ଏବେ
ଏକଦମ୍‌ ଖାଲି,
ଝରି ସାରିଥିଲା
ଗୋଟିକରୁ ପାଣି,
ଅନ୍ୟଟିରୁ ବାଲି ।

ଇଚ୍ଛା ହେଉଥିଲା
ଗାଇବାକୁ ଗୀତଟିଏ
ହାହାକାରେଭରା ଶୂନ୍ୟତାର,
ପ୍ରସ୍ତୁତ ହେଲା ବେଳକୁ
ଦେଖେତ’ ତିକ୍ତ ମଧୁର
ଅନେକ ସ୍ମୃତିରେ ଆପେ
ଭର୍ତ୍ତି ହେଇଥିଲା ମୁଠା ମୋର । ।

Leave A Reply

Your email address will not be published.