ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ବିସ୍ଥାପିତ ଗାଁ କୁମିଆପାଲିରେ ଉତ୍ତେଜନା ଜାରି ରହିଛି । ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିଳମ୍ବିତ ରାତିରେ ପୋଲିସ ଗାଁରେ ପହଞ୍ଚି ୭ ଜଣ ଆଦିବାସୀ ମୁଖିଆଙ୍କୁ ନେଇଯାଇଛି । ସେମାନଙ୍କ ମଧ୍ୟରେ ଡୋଳାମଣି ବରିହା ମଧ୍ୟ ଥିବା କୁହାଯାଉଛି । ଏହି ଘଟଣା ପରେ ଡୋଳାମଣିଙ୍କ ଅସୁସ୍ଥ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିବା ଗ୍ରାମବାସୀ ଦାବି କରିଛନ୍ତି । କିଡନୀ ଓ ସିକଲ ସେଲ୍ ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ, ମହିଳାଙ୍କ ସ୍ୱାସ୍ଥ୍ୟରେ କୌଣସି ଅଘଟଣ ଘଟିଲେ ପ୍ରଶାସନ ଦାୟୀ ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
