jayashree

ପିଏଲ୍‌ଏଫ୍‌ଆଇର ଜୋନାଲ କମାଣ୍ଡର ସମେତ ୪ ଗିରଫ, ବନ୍ଧୁକ ଓ ଗୁଳି ଜବତ

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପୁଣି ସକ୍ରିୟ ହେଉଛନ୍ତି ପିଏଲ୍‌ଏଫ୍‌ଆଇ ସଂଗଠନର ସଦସ୍ୟ। ବଡ଼ଧରଣର ଅପରାଧିକ କାର୍ଯ୍ୟ ଯୋଜନା କରୁଥିବା ବେଳେ ସଂଗଠନର ଜୋନାଲ କମାଣ୍ଡର ବିଶ୍ରାମ କୋଙ୍ଗାଡିଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି ଗୁମ୍‌ଲା ପୁଲିସ। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ ହୋଇଛି । ପୁଲିସ ସୂଚନା ଅନୁଯାୟୀ, ଗିରଫ ଜୋନାଲ କମାଣ୍ଡର ବିଶ୍ରାମ କୋଙ୍ଗାଡି ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା ରାନିଆ ଥାନା ଅନ୍ତର୍ଗତ ତାଛୁ ପୁରୁଣାପାଣି ଅଞ୍ଚଳର ବାସିନ୍ଦା। ଅନ୍ୟ ଗିରଫ ଅଭିଯୁକ୍ତମାନେ ହେଲେ ଆଗର ସୁରିନ, ଏତୱା କୋଙ୍ଗାଡି ଓରଫ ଏତୱା ମାଷ୍ଟର ଏବଂ ଅର୍ପିତ ଟପ୍ରୋ ଓରଫ ବେଣ୍ଡା। ସୂଚନା ମୁତାବକ, ଗତକାଲି ସକାଳେ ବିଶ୍ରାମ ଓ ତାଙ୍କ ସହଯୋଗୀମାନେ କାମଦରା ଥାନା ଅନ୍ତର୍ଗତ ବୋଙ୍ଗାଡା ଗାଁ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଏକ ବଡ଼ ଅପରାଧିକ କାର୍ଯ୍ୟ ଯୋଜନା କରୁଥିଲେ। ଏ ସମ୍ପର୍କରେ ଗୁମ୍‌ଲା ପୁଲିସକୁ ଗୁପ୍ତ ସୂଚନା ମିଳିବା ପରେ ଚଢ଼ାଉ କରାଯାଇ ଚାରି ଜଣଙ୍କୁ କାବୁ କରାଯାଇଥିଲା। ଚଢ଼ାଉ ସମୟରେ ଅଭିଯୁକ୍ତଙ୍କଠାରୁ ଗୋଟିଏ ପିସ୍ତଲ, ଗୋଟିଏ ବନ୍ଧୁକ, ଗୋଟିଏ ରିଭଲଭର ଏବଂ ସାତଟି ଅଫୁଟା ଗୁଳି ଜବତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଗିରଫ ଅଭିଯୁକ୍ତମାନଙ୍କ ନାମରେ ଗୁମ୍‌ଲା, ସିମ୍‌ଡେଗା, ଖୁଣ୍ଟି ସମେତ ବିଭିନ୍ନ ଜିଲ୍ଲାରେ ଏକାଧିକ ଅପରାଧିକ ମାମଲା ରହିଛି। ଜୋନାଲ କମାଣ୍ଡର ବିଶ୍ରାମ କୋଙ୍ଗାଡିଙ୍କ ନାମରେ ତିନିଟି ଜିଲ୍ଲାରେ ମୋଟ ୩୫ଟି ଅପରାଧିକ ମାମଲା ଥିବା ପୁଲିସ କହିଛି। ଘଟଣା ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ପୁଲିସ ଟିମ୍‌ ସ୍ଥାନୀୟ ଅଞ୍ଚଳରେ ଚଢ଼ାଉ ଜୋରଦାର କରିଛି। ସଂଗଠନର ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.