ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସହ ଜଡିତ ହେରାପଞ୍ଚମୀ ଅବସରରେ ସ୍ୱର୍ଗତ ଲଚ୍ଛମନ ଦାସ କେଜ୍ରିୱାଲଙ୍କ ସ୍ମୃତିରେ ହଜାର ହଜାର ଲୋକଙ୍କୁ ଚାଟାର୍ଡ ଆକାଉଣ୍ଟାଣ୍ଟ ରମେଶ ଅଗ୍ରୱାଲ, ରାଜେଶ ଅଗ୍ରୱାଲ ଓ ପରିବାର ବର୍ଗ ତରଫରୁ ମାଉସି ମା’ ମନ୍ଦିରରେ ଅନ୍ନ ପ୍ରସାଦ ବିତରଣ କରାଯାଇଛି । ସ୍ଵର୍ଗତ ଲଛମନ ଦାଶ କେଜ୍ରିୱାଲ ଜଣେ ଏକାଧାରରେ କୃଷକ ସାଥି, ଶିଳ୍ପପତି, ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ସେ ତାଙ୍କର ଜୀବନ କାଳ ମଧ୍ୟରେ ସାଧାରଣ ଲୋକଙ୍କ ସେବା କରି ଆସୁଥିଲେ । ବିଶେଷ କରି ବିହନ, ମଞ୍ଜି, ପିଡିଆ ପ୍ରଭୃତିର ବ୍ୟବସାୟକରଣ ଏବଂ ଚାଷୀ ମାନଙ୍କୁ କିଭଳି ଭାବେ ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦିଆଯିବ ସେଥିପାଇଁ ସବୁବେଳେ ଚେଷ୍ଟା କରି ଆସୁଥିଲେ । ସେଥିପାଇଁ ସ୍ୱର୍ଗତ କେଜ୍ରିୱାଲଙ୍କୁ କୃଷକର ସାଥି କୁହାଯାଉଥିଲା । ତତ୍ ସହିତ ସେ ବିଭିନ୍ନ ପ୍ରକାର ଶିଳ୍ପ ପ୍ରତିଷ୍ଠାନ ଗଢି ତୋଳିଥିଲେ ଯାହାକି ବର୍ତ୍ତମାନ ବି କାର୍ଯ୍ୟରତ ଅଛି ଯାହାକି ତାଙ୍କର ପୁତ୍ରମାନେ ଏହାକୁ ପରିଚାଳନା କରୁଛନ୍ତି । ସେ ବଲାଙ୍ଗିର ଟିଟିଲାଗଡ଼ରେ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ପ୍ରତିଷ୍ଠାତା ସଭ୍ୟ ଭାବରେ ସୁନାମ ଅର୍ଜନ କରିଥିଲେ ଓ ଏହା ସେତେବେଳେ ସମାଜ ପାଇଁ ଏକ ବରଦାନ ସଦୃଶ୍ୟ ଥିଲା । ଅଞ୍ଚଳବାସୀଙ୍କ ପାଇଁ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ପ୍ରତିଷ୍ଠା କରାଇବାରେ ଅନ୍ୟମାନଙ୍କ ସହ ପରିଚାଳନା କରିବା ସହ ସନାତନ ଧର୍ମର ପ୍ରଚାର ପ୍ରସାର କରୁଥିଲେ । ସାରା ଓଡିଶା ବିଶେଷ କରି ପଶ୍ଚିମ ଓଡିଶାରେ ସେ ଜଣେ ମାନ୍ୟଗନ୍ୟ ବ୍ୟକ୍ତି ହିସାବରେ ଜଣାଶୁଣା ଥିଲେ । ଯାହାକି ୧୯୭୭ ମସିହାରେ ଭାରତ ଓ ଓଡିଶା ସରକାରଙ୍କ ଦ୍ୱାରା ବିଦେଶ ଯାତ୍ରା କରିଥିଲେ । ତା ସହ ତତ୍କାଳୀନ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କିଛି ସମୟ ବ୍ୟବଧାନ ପରେ ତାଙ୍କ ସନ୍ତାନ ମାନଙ୍କ ଉଚ୍ଚ ଶିକ୍ଷା ଓ ବ୍ୟବସାୟ ପାଇଁ ସେ ରାଜଧାନୀ ଭୁବନେଶ୍ୱରରେ ଅବସ୍ଥାନ କରୁଥିଲେ । ତାଙ୍କର ଜ୍ୟେଷ୍ଠ ପୁତ୍ର ରମେଶ କେଜ୍ରିୱାଲ ଜଣେ ନାମୀ ଦାମୀ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଭାବରେ ଓ କନିଷ୍ଠ ପୁତ୍ର ରାଜେଶ କେଜ୍ରିୱାଲ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଜଣାଶୁଣା ଅଟନ୍ତି । ତତ୍ ସହିତ ସ୍ୱର୍ଗତ କେଜ୍ରିୱାଲ ତାଙ୍କ ଶେଷ ସମୟ ତାଙ୍କ ପରିବାର ସଦସ୍ୟଙ୍କ ସହ ବିତାଇ ଥିଲେ । ପବିତ୍ର ହେରାପଞ୍ଚମୀ ଅବସରରେ ପ୍ରତିବର୍ଷ ଟିଟିଲାଗଡ ମାଉସି ମା’ ମନ୍ଦିରରେ ଅର୍ଣ୍ଣ ପ୍ରସାଦ ବଣ୍ଟନ ତାଙ୍କ ପରିବାର ପକ୍ଷରୁ କରାଯାଏ ଓ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଜଗନ୍ନାଥ ପ୍ରେମୀଙ୍କୁ ପରିବାର ପକ୍ଷରୁ ପ୍ରସାଦ ବଣ୍ଟନ କରିବାର ସୌଭାଗ୍ୟ ପ୍ରଦାନ କରୁଥିବାରୁ ମାଉସି ମା’ ମନ୍ଦିର ପରିଚାଳନା କମିଟି ଓ ପ୍ରଭୁ ଜଗନ୍ନାଥଙ୍କୁ କୋଟି କୋଟି ପ୍ରଣାମ ଜଣାଇଛନ୍ତି ପରିବାର ବର୍ଗ ବୋଲି ଆମ ପ୍ରତିନିଧୀ ସଞ୍ଜୟ କୁମାର ନାୟକଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
