
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବେସରକାରୀ ବସ ମାଲିକ ସଂଘର ପୂର୍ବତନ ସଭାପତି ତଥା ବର୍ତ୍ତମାନ ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜୋନର ସମ୍ପାଦକ, ଜିଲ୍ଲା କ୍ରୀଡା ସଂଘ ଉପଦେଷ୍ଟା ଏବଂ ଜିଲ୍ଲା ଭଲିବଲ ଖେଳର ଉଦ୍ୟୋକ୍ତା ତଥା ବର୍ତ୍ତମାନ ଜିଲ୍ଲା କ୍ରୀଡା ସଂଘର ଭଲିବଲ ସମ୍ପାଦକ ତଥା ମୋନାଲିସା ବସର ମାଲିକ ପୁରୁଷୋତ୍ତମ ପାଣିଗ୍ରାହୀ (ବୁଢ଼ା)ଙ୍କ ୭୨ବର୍ଷ ବୟସରେ ଆଜି ପରଲୋକ ଘଟିଛି । ପ୍ରାୟ ୧୫ ଦିନ ପୂର୍ବରୁ ସେ ଜ୍ୱରରେ ପୀଡ଼ିତ ଥିବା ବେଳେ ଗତ ୨୦ ତାରିଖ ଦିନ ସେ ସମ୍ବଲପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହେବା ସହ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ । “ବୁଢ଼ା ଦାଦା” ନାମରେ ସେ ସୋନପୁରରେ ପରିଚିତ ଥିଲେ । କ୍ରୀଡା ସହ ଜଡ଼ିତ ରହି ସେ ସୁସ୍ଥ ସବଳ ଥିଲେ ଓ ସବୁବେଳେ ସ୍ପୋର୍ଟି ଡ୍ରେସ୍ ପିନ୍ଧି ଯୁବ ପିଢିଙ୍କୁ ଫିଟ୍ ରହିବାକୁ ପ୍ରେରଣା ଯୋଗାଉଥିଲେ । ସୋନପୁରର ଭଲିବଲ୍ ଖେଳକୁ ବଞ୍ଚାଇ ରଖି ସହରର ପ୍ରତ୍ୟେକ ଖେଳକୁଦରେ ନିଜେ ଖେଳିବା ସହ ଲୋକଙ୍କ ସହିତ ସବୁବେଳେ ଚଳଚଞ୍ଚଳ ଥିଲେ । ଜିଲ୍ଲା ବସ ସଂଘର ଦୀର୍ଘ ବର୍ଷ ଧରି ସେ ସଭାପତି ରହିବା ସହ ନେତୃତ୍ୱ ନେଇଥିଲେ । ଜିଲ୍ଲାକୁ ରେଳ ସଂଯୋଗ ପାଇଁ ମଧ୍ୟ ସେ ସଂଗ୍ରାମ କରିଥିଲେ । ଜିଲ୍ଲା କ୍ରୀଡା ସଂଘର ପରାମର୍ଶ ଦାତା ରହିବା ସହ ସେ ଖେଳ ପଡ଼ିଆ ଓ ବସଷ୍ଟାଣ୍ଡରେ ପ୍ରାୟତଃ ସମୟ ବିତାଉ ଥିଲେ । ପୂର୍ବରୁ ଶ୍ରୀ ଗୁଣ୍ଡିଚା ଦୁର୍ଗା ପୂଜା କମିଟି ଓ ଶ୍ରୀମଦ୍ ଭାଗବତ ପାଠାଗାର ତେନ୍ତୁଳି ଘାଟ କମିଟିରେ ସକ୍ରିୟ ସଦସ୍ୟ ଭାବେ ତାଙ୍କ ଉଲ୍ଲେଖନୀୟ ଅବଦାନ ଥିଲା । ଆଜି ସୁବର୍ଣ୍ଣପୁର ଶ୍ରୀ ରାମେଶ୍ୱର ଶ୍ମଶାନ ଘାଟରେ ଶ୍ରୀ ପାଣିଗ୍ରାହୀଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲାର ବସ୍ ସଂଘ କର୍ମକର୍ତ୍ତା, ଜିଲ୍ଲା କ୍ରୀଡା ସଂଘ, ଭଲିବଲ୍ ସଂଘ, ଫୁଟବଲ୍ ଓ କ୍ରିକେଟ୍ ସଂଘ, ଓକିଲ ସଂଘ, ବରିଷ୍ଠ ନାଗରିକ ସଂଘ, ଶ୍ରୀ ଗୁଣ୍ଡିଚା ଦୁର୍ଗା ପୂଜା କମିଟି, କୈବର୍ତ୍ତ ସଂଘ, ଶ୍ରୀମଦ୍ ଭଗବତ ପାଠାଗାର ତେନ୍ତୁଳି ଘାଟ, ଶ୍ରମିକ ସଂଗଠନ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସହରର ବହୁ ବିଶିଷ୍ଠ ବ୍ୟକ୍ତି ଅନ୍ତିମ ସଂସ୍କାରରେ ଯୋଗ ଦେଇ ଶ୍ରୀ ପାଣିଗ୍ରାହୀଙ୍କୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାନ ଭାଇ ସନତ ପାଣିଗ୍ରାହୀ ତାଙ୍କ ସଂସ୍କାର କାର୍ଯ୍ୟରେ ମୁଖାଗ୍ନି ଦେଇଥିଲେ ।