
- ଅଧ୍ୟକ୍ଷଙ୍କୁ ବଦଳି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସ୍ଥିତ ସରକାରୀ ପଲିଟେକ୍ନିକର ଶହ ଶହ ଛାତ୍ରଛାତ୍ରୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି । ସେମାନେ ପଲିଟେକନିକ୍ କ୍ୟାମ୍ପସ ଠାରୁ ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ନାରାବାଜି କରିବା ସହ ପ୍ରାୟ ୪ କିଲୋମିଟର ଦୂର ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ପହଞ୍ଚିଥିଲେ । ପରେ ଜିଲ୍ଲାପାଳ ଡ. ନୃପରାଜ ସାହୁ, ଉପଜିଲ୍ଲାପାଳ ସୌମ୍ୟାରୂପା ରଥ ଏବଂ ଏସପି ନାରାୟଣ ନାୟକ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହ ଆମ ଦ୍ୱାରା ଯାହା ସମ୍ଭବ ନିଶ୍ଚୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସୂଚନା ଯୋଗ୍ୟ ଯେ ଗତ ବୁଧବାର ଦିନ ପଲିଟେକନିକ୍ କ୍ୟାମ୍ପସ୍ ଠାରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ହୋ ହାଲ୍ଲା କରିଥିଲେ । ପ୍ରିନ୍ସିପାଲ ହାଏ ହାଏ ପ୍ରିନ୍ସିପାଲ୍ ଗୋ ବ୍ୟାକ୍ ନାରାରେ କମ୍ପିଥିଲା କ୍ୟାମ୍ପସ । ହଷ୍ଟେଲରେ ଅବ୍ୟବସ୍ଥାକୁ ନେଇ ଛାତ୍ରୀ ଓ ଅଭିଭାବକମାନେ ଅଧ୍ୟକ୍ଷଙ୍କୁ ଦାୟୀ କରିଛନ୍ତି । ଅଧ୍ୟକ୍ଷଙ୍କ ମାତ୍ରାଧିକ ମନମାନୀ ଯୋଗୁଁ ଅଶାନ୍ତ ହୋଇପଡ଼ିଛି ଏହି ଶିକ୍ଷାନୁଷ୍ଠାନ । ସେମାନଙ୍କ ଅଭିଯୋଗ ଅନୁସାରେ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟରେ ପୋକ ବାହାରୁଥିବା ନେଇ ଅନେକ ଥର ଅଭିଯୋଗ ହୋଇଥିଲା । ଏହାକୁ କେହି କର୍ଣ୍ଣପାତ କରୁ ନଥିବା ବେଳେ ଓଲଟା ବାହାର ଜିଲ୍ଲାରୁ ଆସି ରହୁଥିବା କିଛି ଛାତ୍ର ଏହା ତୁମ ମୁଣ୍ଡର ଉକୁଣୀ ହୋଇଥିବ, ଆହୁରି ଅନେକ ଅଶ୍ଳୀଳ କଥା କହି କମେଣ୍ଟ କରି କହୁଛନ୍ତି । ଏଥିସହ ରାତି ଅଧରେ ଚେକିଂ ନାମରେ ଛାତ୍ରୀଙ୍କ ରୁମ୍ ଭିତରକୁ ଅଧ୍ୟକ୍ଷ ତଥା ପୁରୁଷ କର୍ମଚାରୀମାନେ ପ୍ରବେଶ କରୁଥିବା ନେଇ ଗୁରୁତର ଅଭିଯୋଗ ଆସିଛି । ଯାହାକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖା ଦେଇଥିଲା । ଏହି ଘଟଣାକୁ ନେଇ ଅଭିଭାବକମାନେ କଲେଜକୁ ଆସି ଛାତ୍ରଛାତ୍ରୀଙ୍କ ସହିତ ଦେଖା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ କଲେଜ କର୍ତ୍ତୃପକ୍ଷ କଲେଜ ମୁଖ୍ୟ ଗେଟ୍କୁ ତାଲା ପକାଇ ଦେବାରୁ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା । ହଷ୍ଟେଲରେ ଛାତ୍ରୀଙ୍କ ସୁରକ୍ଷା ଓ ଖାଦ୍ୟ ବ୍ୟବସ୍ଥା ସଠିକ୍ ଭାବେ ଦିଆଯାଉ ନଥିବା ଓ ଅଧ୍ୟକ୍ଷ ସେଠାରେ ଖାଦ୍ୟ ମେସର ଦାୟିତ୍ୱ ନେଇଥିବା ବ୍ୟକ୍ତିଙ୍କ ସହ ଘନିଷ୍ଠ ସଂପର୍କ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ସୋନପୁର ସଦର ଥାନା ଅଧିକାରୀ ଯାଦବ ବାଗ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନଙ୍କୁ ବୁଝସୁଝା କରୁଥିବା ଦେଖିବାକୁ ମିଳିଥିଲା । ଏହାର ତଦନ୍ତ କରାଯାଇ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ । ଏନେଇ ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରି ନଥିଲା । ସୂଚନା ଯୋଗ୍ୟ ଯେ ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝୁଥିବା ତଥା ସେବା ଶୁଶ୍ରୁଷା କରୁଥିବା ପୁରୁଣା ୱାର୍ଡନଙ୍କୁ କଲେଜରୁ ତଡି ଦିଆଯାଇଥିବା ବେଳେ ତାଙ୍କୁ ପୁନଃ ନିଯୁକ୍ତି ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ସେପଟେ ଅଧ୍ୟକ୍ଷଙ୍କ ବଦଳି ନ ହେବା ଯାଏଁ ଆଗକୁ ଆହୁରି ଆନ୍ଦୋଳନ ତୀବ୍ର ହେବ ବୋଲି ଅଭିଭାବକ ସଂଘ କହିଛନ୍ତି ।