
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) ସୋନପୁରର ବିଶିଷ୍ଟ ସୂପକାର ତଥା ରୋଷେୟା ଅର୍ଜୁନ ରଥଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗରେ ୪ ଗିରଫ ସହ ମାସ୍କ ପିକଅପ୍ ଓ ସ୍ପେଲଣ୍ଡର ବାଇକ୍ ଜବତ । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ନାରାୟଣ ନାଏକ୍। ଅଭିଯୁକ୍ତ ସୁରେନ୍ଦ୍ର ନାୟକ ଓ ଅର୍ଜୁନ ପ୍ରାୟ ଏକ ଦଶନ୍ଧି ଧରି ବିବାହ ଉତ୍ସବ, ଜନ୍ମଦିନ ପାର୍ଟି, କର୍ପୋରେଟ୍ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ସାମାଜିକ ସମାବେଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ମିଳିତ ଭାବେ ଖାଦ୍ୟ ଯୋଗାଣ (କ୍ୟାଟରିଂ) ଚୁକ୍ତି ନେଇ କାର୍ଯ୍ୟ କରୁଥିଲେ । ଏହି କାର୍ଯ୍ୟରେ ଅର୍ଜୁନ ରଥ ଜଣେ ରୋଷେୟା ଭାବରେ କାମ କରୁଥିବାବେଳେ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ଫାଷ୍ଟ ଫୁଡ୍ ପ୍ରସ୍ତୁତ କରିବାରେ ନିୟୋଜିତ ଥିଲେ । ଘଟଣାର ପ୍ରାୟ ଚାରି ବର୍ଷ ପୂର୍ବେ ଅର୍ଜୁନ ଙ୍କ ପୁଅ ଓମ୍ ପ୍ରକାଶ ରଥ ଏବଂ ଅଭିଯୁକ୍ତ ସୁରେନ୍ଦ୍ର ନାୟକଙ୍କ ପୁଅ ବିଶ୍ୱନାଥ ନାୟକଙ୍କ ମଧ୍ୟରେ ଏକ ସାମାନ୍ୟ ବିଷୟକୁ ନେଇ ଝଗଡ଼ା ହୋଇଥିଲା । ସେହିଦିନଠାରୁ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା ଏବଂ ଏହି ବିବାଦ ଯୋଗୁଁ ଅଭିଯୋଗକାରୀ ଅର୍ଜୁନ ରଥ ତାଙ୍କର କୌଣସି କ୍ୟାଟରିଂ ଚୁକ୍ତିରେ ଅଭିଯୁକ୍ତ ସୁରେନ୍ଦ୍ର ନାୟକଙ୍କୁ ସାମିଲ କରୁ ନଥିଲେ । ଏହି ତିକ୍ତତା କାରଣରୁ ଅଭିଯୋଗକାରୀ ଅର୍ଜୁନ ରଥଙ୍କୁ ହତ୍ୟା କରିବେ ବୋଲି ଅଭିଯୁକ୍ତ ସୁରେନ୍ଦ୍ର ନାୟକ ଶ୍ରୀ ରଥ ଙ୍କ ସମ୍ପର୍କୀୟ ଓ ପରିଚିତ ବ୍ୟକ୍ତିମାନଙ୍କୁ ଧମକ ଦେଉଥିଲେ। ଅଭିଯୋଗକାରୀ ଶ୍ରୀ ରଥଙ୍କୁ ହତ୍ୟା କରିବାର ଯୋଜନା ମୁତାବକ ଘଟଣା ପୂର୍ବରୁ, ଅଭିଯୁକ୍ତ ସୁରେନ୍ଦ୍ର ନାୟକ ତାଙ୍କ ଡ୍ରାଇଭର ଅନ୍ତପାଲିର ନୀଳାମ୍ବର କର୍ଣ୍ଣ, ତାଙ୍କ ଶଳା ବେଜପାଲିର ଜୟ କୁମାର ପଣ୍ଡା ଏବଂ ପିପଲକଟାର ରମାନନ୍ଦ ପ୍ରଧାନ ଏକ ଅପରାଧିକ ଷଡ଼ଯନ୍ତ୍ର କରି ସେମାନେ ଏକ ଗାଡ଼ି ଦୁର୍ଘଟଣା ଘଟାଇ ଅର୍ଜୁନ ରଥଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଅଗଷ୍ଟ ୨୭ ତାରିଖରେ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ସୋନପୁରସ୍ଥିତ ପୁରୋହିତ ମୋବାଇଲ୍ ସପ୍ ରୁ ନିଜ ରୋଷେୟା କୁମୁଦିନୀ ମେହେରଙ୍କ ନାମରେ ଏକ ନୂଆ ‘ଜିଓ’ ସିମ୍ କାର୍ଡ କିଣିଥିଲେ ଏବଂ ଉକ୍ତ ସିମ୍ କାର୍ଡକୁ ଏକ ନୂଆ ‘ଜିଓ ଭାରତ’ ମୋବାଇଲ୍ ଫୋନରେ ପକେଇଥିଲେ । ୩୧ ତାରିଖରେ ଅଭିଯୁକ୍ତ ରମାନନ୍ଦ ପଧାନ ଉକ୍ତ ମୋବାଇଲ୍ ଫୋନ୍ ବ୍ୟବହାର କରି ଅର୍ଜୁନ ରଥଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଏକ ଶୁଦ୍ଧିକ୍ରିୟା ଭୋଜି ପାଇଁ ଖାଦ୍ୟ କ୍ୟାଟରିଂ ଆବଶ୍ୟକତା ଥିବା ବିଷୟରେ ଜଣାଇଥିଲେ। ସେ ଅଗ୍ରୀମ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ ଏବଂ ସେହି ଅଗ୍ରୀମ ଟଙ୍କା ସଂଗ୍ରହ କରିବା ପାଇଁ ଅର୍ଜୁନ ରଥଙ୍କୁ ବିରମହାରାଜପୁର ଆସିବାକୁ କହିଥିଲେ। ସନ୍ଧ୍ୟା ପ୍ରାୟ ୬. ୩୦ମି ସମୟରେ ଅର୍ଜୁନ ରଥ ସୁଶାନ୍ତ ପାତ୍ରଙ୍କ ସହ ମିଶି ପ୍ରସ୍ତାବିତ କ୍ୟାଟରିଂ ଚୁକ୍ତି ପାଇଁ ଅଗ୍ରୀମ ଟଙ୍କା ଆଣିବାକୁ ନିଜ ମୋଟରସାଇକେଲ୍ ଯୋଗେ ବିରମହାରାଜପୁର ଆସୁଥିଲେ । ଅଭିଯୁକ୍ତ ସୁରେନ୍ଦ୍ର ନାୟକ ଏବଂ ରମାନନ୍ଦ ପଧାନ ଏକ ମୋଟରସାଇକେଲରେ ଅର୍ଜୁନ ରଥଙ୍କ ମୋଟରସାଇକେଲ୍ କୁ ପିଛା କରୁଥିଲେ ଏବଂ ଅଭିଯୁକ୍ତ ନୀଳାମ୍ବର କର୍ଣ୍ଣକୁ ସେମାନଙ୍କ ପଛରେ ସୁରେନ୍ଦ୍ର ନାୟକଙ୍କ ବୋଲେରୋ ପିକଅପ୍ ଗାଡ଼ି ନଂ OD-31 N- 8879 ଚଳାଇ ଯାଉଥିଲେ। ଯେତେବେଳେ ଅର୍ଜୁନ ରଥ ଏବଂ ସୁଶାନ୍ତ ପାତ୍ର କୁମାରକେଲି ଛକ ନିକଟରେ ପହଞ୍ଚିଥିଲେ, ଅଭିଯୁକ୍ତ ନୀଳାମ୍ବର କର୍ଣ୍ଣ ଉକ୍ତ ବୋଲେରୋ ପିକଅପ୍ ଗାଡ଼ିକୁ ଦ୍ରୁତ ଗତିରେ ଚଳାଇ ଅର୍ଜୁନ ରଥକୁ ମାରିଦେବାର ଉଦେଶ୍ୟରେ ସେମାନଙ୍କୁ ଜୋରରେ ଧକ୍କା ଦେଇଥିଲେ । ଏହା ଏକ ସୁଚିନ୍ତିତ ହତ୍ୟା ଉଦ୍ୟମ ହୋଇଥିଲେ ମଧ୍ୟ ମୁଦାଲାମାନେ ଧରା ନପଡିବା ଉଦ୍ଧେଶ୍ୟରେ ଘଟଣାକୁ ଏକ ଦୁର୍ଘଟଣାର ଅପଚେଷ୍ଟା କରିଥିଲେ । ପିକଅପ୍ ଗାଡ଼ି ଧକ୍କାରେ ଉଭୟ ଅର୍ଜୁନ ରଥ ଓ ସୁଶାନ୍ତ ପାତ୍ର ଗୁରୁତର ଆଘାତ ହୋଇଥିଲେ । ସେମାନେ ପ୍ରଥମେ ସୋନପୁର ହସ୍ପିଟାଲରେ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ ହୋଇଥିଲେ । ଅର୍ଜୁନ ଙ୍କ ୪ ଗୋଟି ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଏହି ଘଟଣାଟି ବୀରମହାରାଜପୁର ପୋଲିସ ନିକଟରେ ଅଭିଯୋଗ ହେବାପରେ ଏହା ଏକ ଦୁର୍ଘଟଣା ଜନିତ ଘଟଣା ବୋଲି ପଞ୍ଜୀକୃତ ହୋଇଥିଲା, ମାତ୍ର ସଠିକ ତଦନ୍ତରୁ ଜଣାପଡିଲା ଯେ ଏହା ଏକ ସୁଚିନ୍ତିତ ହତ୍ୟା ଉଦ୍ୟମ । ତେଣୁ ଏହି କେସ କୁ ଏକ ସ୍ଵତନ୍ତ୍ର କେସ (Special Reported) ଭାବରେ ଗ୍ରହଣ କରାଯାଇ ଘଟଣାର ସବିଶେଷ ପ୍ରମାଣ ଆଧାରରେ ସମସ୍ତ ମୁଦାଲା ମାନଙ୍କୁ ଗିରଫ କରାଯାଇଛି ଏବଂ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଉଛି । ଘଟଣାରେ ସମ୍ପୃକ୍ତ ଥିବା ୪ଗୋଟି ମୋବାଇଲ ଫୋନ, ଗୋଟିଏ ପିକଅପ୍ ଗାଡି, ଗୋଟିଏ ସୁପର ସ୍ପ୍ଲେଣ୍ଡର ମୋଟର ସାଇକେଲ ଜବତ କରାଯାଇଛି । ଏହି ଘଟଣାକୁ ସୁବର୍ଣ୍ଣପୁର ଏସପି ଙ୍କ ତତ୍ବାବଧାନ ରେ ଆଇଆଇସି ଯଯାତି କେଶରୀ ସାହୁ ତଦନ୍ତ କରୁଛନ୍ତି ।