ଟିଟିଲାଗଡରେ ଧାନ ମଣ୍ଡି ଓ କପା ମଣ୍ଡି ଉଦଘାଟିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅଞ୍ଚଳର ମନିଗାଁରେ ଧାନ ମଣ୍ଡି ଓ ଟିଟିଲାଗଡ ଗୋରୁବଜାରରେ କପା ମଣ୍ଡି କଣ୍ଟାବାଞ୍ଜି ଆର୍.ଏମ୍.ସି. ତରଫରୁ ପ୍ରତିଷ୍ଠା ହୋଇଛି । ଆଜି ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମନିଗାଁକୁ ଯାଇ ଧାନ ମଣ୍ଡିର ଉଦଘାଟନ କରିଥିଲେ । ସେଠାରେ ସେ ମଣ୍ଡିର ସଂଚାଳକ ସହିତ ମଣ୍ଡିର ସୁପରିଚାଳନା ଓ ଚାଷୀଙ୍କୁ ସତର୍କ କରିବା ପାଇଁ ଆଲୋଚନା କରିଥିଲେ । ମନିଗାଁରେ ୩୦,୦୦୦ ମାଟ୍ରିକ ଟନ ବିଶିଷ୍ଟ ଏକ ଗୋଦାମ ଘର ମଧ୍ୟ ପ୍ରତିଷ୍ଠା କରାଯାଇଛି । ଉପ ଜିଲ୍ଲାପାଳ ଚାଷୀମାନଙ୍କ ସହ କଥା ହୋଇଥିଲେ । ସେଠାରେ ଧାନର ଗୁଣ ଓ ଉଚିତ୍ ମାନ ପରୀକ୍ଷା ସହ କିପରି ଚାଷୀମାନେ ସୁରକ୍ଷିତ ରହିବେ, ସେଥିପ୍ରତି ଧ୍ୟାନ ଦେବାକୁ ମଣ୍ଡିର ସଂଚାଳକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଧାନକୁ ସଫା କରି ମଣ୍ଡିକୁ ଆଣିବା ପାଇଁ ସୂଚନା ଦେଇଛନ୍ତି । ଏହାପରେ ଟିଟିଲାଗଡ ସ୍ଥିତ ଗୋରୁବାଜାରରେ କଣ୍ଟାବାଞ୍ଜି ଆର୍.ଏମ୍.ସି. ଦ୍ଵାରା ଆରମ୍ଭ ହୋଇଥିବା କପା ମଣ୍ଡିର ଉଦଘାଟନ ମଧ୍ୟ କରିଥିଲେ । ସେଠାରେ କପା କିପରି ସୁରକ୍ଷିତ ରହିବ, ସେଥିପ୍ରତି ଧ୍ୟାନ ଦେବାକୁ କଣ୍ଟାବାଞ୍ଜି ଆର୍.ଏମ୍.ସି. ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟିଟିଲାଗଡ ଅଞ୍ଚଳରେ ଆରମ୍ଭ ହୋଇଥିବା ଏହି ଧାନ ମଣ୍ଡି ଓ କପା ମଣ୍ଡି ଯୋଗୁଁ ଟିଟିଲାଗଡ, ସଇଁତଲା ଓ ମୁରିବାହାଲ ବ୍ଲକର ଚାଷୀମାନେ ଉପକୃତ ହେବେ ବୋଲି ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.