ଜଳ ଯୋଗାଣ ବନ୍ଦ ନେଇ ଜଲପାଙ୍କେଲ ଗ୍ରାମବାସୀ ଥାନାର ଦ୍ୱାରସ୍ଥ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଳପାଙ୍କେଲ୍ ଗ୍ରାମରେ କାର୍ୟ୍ୟକ୍ଷମ ଥିବା ଜଳ ଯୋଗାଣ ପ୍ରକଳ୍ପକୁ ଗାଁର ସତ୍ୟ ମେହେର ଜୋର୍‌ ଜବରଦସ୍ତ ବନ୍ଦ କରିଥିବା ହେତୁ ଗ୍ରାମବାସୀ ଲାଠୋର ଥାନାର ଦ୍ବାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ଦୁଇ ୱାର୍ଡ ବିଶିଷ୍ଟ ଉକ୍ତ ଗାଁ ପ୍ରାୟ ଦୁଇ ହଜାର ଜନସଂଖ୍ୟା ବିଶିଷ୍ଟ । ଗାଁର ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାପାଇଁ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଏବଂ ପରିମଳ ବିଭାଗ ଦ୍ଵାରା ଏକ ଜଳ ଯୋଗାଣ ପ୍ରକଳ୍ପ ଏବଂ ଓଭରହେଡ୍ ଟ୍ୟାଙ୍କ ନିର୍ମାଣ କରି ବ୍ୟବସ୍ଥା କରାଯାଇଅଛି । ଗାଁବାସୀଙ୍କ ସହମତି କ୍ରମେ ଗାଁର ରାଜେଶ ଦାସଙ୍କୁ ପମ୍ପ ଡ୍ରାଇଭର୍ ଭାବେ ନିଯୁକ୍ତି ଦେଇ ଜଳଯୋଗାଣ କରାଯାଉଛି । ଗାଁରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଲୋକଙ୍କ ଘରୁ ବାହାରୁ ଥିବା ମଇଳା ଆବର୍ଜନା ପାଣି ଭାସି ଆସି ସତ୍ୟଙ୍କ ଜାଗା ଦେଇ ପାଣି ବୋହି ଯାଉଛି । ଏଥିରେ ସତ୍ୟ ଉତକ୍ଷିପ୍ତ ହୋଇ ତିନି ଦିନ ହେବ ପମ୍ପ ଡ୍ରାଇଭରକୁ ଧମକ ଚମକ ଦେଇ ପାଣି ଚଲାଇଲେ ଜୀବନରେ ମାରି ଦେବା ପାଇଁ କହିବାରୁ ସେ ତିନି ଦିନ ହେଲା ପାଣି ଚଲାଉ ନାହାନ୍ତି । ଫଳରେ ତିନି ଦିନ ହେଲା ଜଳଯୋଗାଣ ହୋଇ ନପାରିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଗାଁବାସୀ ଅଭିଯୋଗ କରିଛନ୍ତି।ଏ ବିଷୟରେ ଗାଁବାସୀ ଏକ ବୈଠକ କରି ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଗାଁବାସୀଙ୍କ ଦସ୍ତଖତ ଥିବା ଏତଲା ଭୋଲା ରଣା, ଛଗନ ଦାସ, ରାଜେଶ ଦାସଙ୍କ ସହ ଅନ୍ୟମାନେ ମିଶି ଲାଠୋର ଥାନାରେ ଦେଇଥିଲେ । ଏନେଇ ଲାଠୋର ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କୁ ପଚାରିବାରୁ ସେ କୁହନ୍ତି, ସତ୍ୟ ମେହେରଙ୍କ ନାମରେ ଲାଠୋର ଥାନା କେସ ନଂ୧୪୪/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛୁ ।

Leave A Reply

Your email address will not be published.