jayashree

ବାଙ୍କେଲ ଡ୍ୟାମ ପାଣିରୁ ୪ ଦିନ ଧରି ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ଡ୍ୟାମ ପାଣିରୁ ଗତ ୪ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ଗଳିତ ମୃତଦେହକୁ ଟିଟିଲାଗଡ ଥାନା ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ଉଦ୍ଧାର ଗଳିତ ମୃତଦେହଟି ବାଙ୍କେଲ ପଞ୍ଚାୟତ ବାଲିପଦର ଗ୍ରାମର ପଦୁଲୋଚନ ବଗର୍ତ୍ତୀଙ୍କ ପୁଅ ପ୍ରମାନନ୍ଦ ବଗର୍ତ୍ତୀ(୩୫)ଙ୍କ ବୋଲି ଜଣାପଡିଛି । ସେ ଗତ ମଙ୍ଗଳବାର ଦିନରୁ ଘରୁ ନିଖୋଜ ଥିବା ବେଳେ ଶୁକ୍ରବାର କେତେଜଣ ମାଛଧରାଳି ବାଙ୍କେଲ ଡ୍ୟାମରେ ମାଛ ଧରୁଥିବା ବେଳେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ମୃତ ପ୍ରମାନନ୍ଦଙ୍କ ସାମାନ୍ୟ ମାନସିକ ବିକୃତି ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ସେ ନିଖୋଜ ହେବା ପରେ ଏନେଇ ପରିବାର ପକ୍ଷରୁ ଥାନାରେ ଏକ ନିଖୋଜ ଏତଲା ମଧ୍ୟ ଦିଆଯାଇଥିଲା । ।ଏକ ମୃତଦେହ ଭାସୁଥିବା ଜାଣି ପରିବାର ଓ ସ୍ଥାନୀୟ ଗ୍ରାମବାସୀ ପୁଲିସକୁ ସୂଚନା ଦେବା ପରେ ଟିଟିଲାଗଡ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ୟାମ୍‌ ପାଣିରୁ ମୃତଦେହକୁ ଉଦ୍ଧାର କରିଥିଲେ । ପରିବାର ଲୋକେ ମୃତଦେହ ନିଖୋଜ ପ୍ରମାନନ୍ଦଙ୍କ ବୋଲି ଚିହ୍ନଟ କରିବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ଉପଖଣ୍ଡ ମେଡିକାଲ୍ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଡ୍ୟାମ୍‌ର ପାଣିରେ ବୁଡ଼ି ପ୍ରମାନନ୍ଦଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ପୁଲିସର ଅଧିକ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଜଣାପଡିଛି । ଏ ସମ୍ପର୍କରେ ଟିଟିଲାଗଡ ଥାନା ଆଇଆଇସି ମନୋଜ କୁମାର ମୁଣ୍ଡାଙ୍କୁ ପଚାରିବାରୁ ପ୍ରମାନନ୍ଦଙ୍କ ନିଖୋଜ ନେଇ ପରିବାରର ଏତଲା ଆଧାରରେ ପ୍ରଥମେ ଏକ ନିଖୋଜ ମାମଲା ରୁଜ୍ଜୁ ହୋଇଥିବା ବେଳେ ଡ୍ୟାମ ପାଣିରୁ ଗଳିତ ମୃତଦେହ ଉଦ୍ଧାର ପରେ ଅପମୃତ୍ୟୁ କେଶ ନଂ ୩୧/୨୬ ରୁଜ୍ଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.