ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ଵାରା ସୋନପୁରଠାରେ ପାରମ୍ପରିକ ଟେରାକୋଟା ଶିବିର ଉଦ୍‌ଘାଟିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ସୋନପୁର ସହରର କୁମ୍ଭାରପଡାଠାରେ ପାରମ୍ପରିକ ଟେରାକୋଟା ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଶିବିରକୁ ଉଦ୍‌ଘାଟନ କରିବା ସହ ସୋନପୁର ଟେରାକୋଟା ଓଡ଼ିଶାର କଳା, ସଂସ୍କୃତି ଓ ଐତିହର ବାର୍ତ୍ତାବହ ବୋଲି ପରିପ୍ରକାଶ କରି ଶିଳ୍ପୀର ସ୍ୱଚ୍ଛମନ ଓ ଆନ୍ତରିକତା ତାର କଳାକୁ ଅଧିକ ଜୀବନ୍ତ, ଆକର୍ଷିତ ଓ ଉଚ୍ଚକୋଟୀର କରିଥାଏ ଏଣୁ ପ୍ରତ୍ୟେକ ଶିଳ୍ପୀ ନିବିଡ଼ ଭାବରେ କଳା ସହିତ ଜଡିତ ହୋଇ କଳାର ପ୍ରତ୍ୟେକ ସ୍ତରକୁ ଚିହ୍ନିବାକୁ ପରାମର୍ଶ ଦେଇଛନ୍ତି । ଉତ୍ସବ ଅବସରରେ ଏକାଡେମୀର କାର୍ଯ୍ୟକାରୀ ସମିତ ସଦସ୍ୟ ଶ୍ୟାମ ସୁନ୍ଦର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥିମାନଙ୍କୁ ସ୍ଵାଗତ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ । ସୋନପୁର ଟେରାକୋଟାର ସ୍ୱତନ୍ତ୍ରତା ସାରା ଭାରତରେ ପ୍ରସିଦ୍ଧ । ଏହି ବିଶେଷତାକୁ ଏବଂ ଶିଳ୍ପୀମାନଙ୍କର କଳାକୃତିକୁ ପ୍ରଚାର ପ୍ରସାର ପାଇଁ ଓ ଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ଲଲିତ କଳା ଏକାଡେମୀର ଏହା ଏକ ନିଆରା ପ୍ରାୟାସ । ପ୍ରସ୍ତୁତ କଳାକୃତି ଗୁଡ଼ିକ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହେବା ସହିତ ଓଡ଼ିଶା ବାହାରେ ମଧ୍ୟ ଏକାଡେମୀ ପ୍ରଦର୍ଶନୀ ଜରିଆରେ ପ୍ରଦର୍ଶିତ କରିଥାଆନ୍ତି । ଏହା ଦ୍ୱାରା ଶିଳ୍ପୀମାନଙ୍କୁ ଜାଣିବା ସହିତ ତାଙ୍କର କଳାକୃତିର ଚାହିଦା ବିଶ୍ଵ ଦରବାରରେ ବଢ଼େଇବା ପାଇଁ ଏକାଡେମୀର ମୂଳ ଆଭିମୁଖ୍ୟ । ଉତ୍ସବ ଅବସରରେ ୨୦ ଜଣ ପାରମ୍ପରିକ ଟେରାକୋଟା ଶିଳ୍ପୀ ଅଂଶଗ୍ରହଣ କରି ୭ ଦିନ ଧରି ସୋନପୁରର ପ୍ରସିଦ୍ଧ ଟେରାକୋଟା ହନୁମାନ, କିଶକିନ୍ଦା ମାଙ୍କଡ, ହାତୀ, ଘୋଡା, କାମଧେନୁ, ଘୁମ ଓ ବିଭିନ୍ନ ରିଲିଫ ସାମଗ୍ରୀ ଆଦି ତିଆରି କରିବେ । ଉତ୍ସବ ଅବସରରେ ଅତିଥିମାନେ ଅଂଶଗ୍ରହଣକାରୀ ଶିଳ୍ପୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ଉକ୍ତ ଶିବିର ଦ୍ଵାରା ଓଡ଼ିଶାର ମୌଳିକ ଆର୍ଟ ଫର୍ମର ବହୁଳ ପ୍ରଚାର ଓ ପ୍ରସାର ହୋଇପାରିବ ଏବଂ ଶିଳ୍ପୀମାନେ ନିଜର କଳଚାତୁରୀକୁ ସୃଜନଶୀଳ ଢଙ୍ଗରେ ପ୍ରଦର୍ଶନ କରିପାରିବେ ବୋଲି ଏକାଡେମୀ ସଚିବ ପ୍ରକାଶ କରିଥିଲେ । ଏହି ଶିବିର ମଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଦ୍‌ଯାପନ ଦିନ ଟେରାକୋଟା କଳାକୃତି ଗୁଡିକର ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ ।

Leave A Reply

Your email address will not be published.

11 − six =