csstore

ମୁରସିଂଠାରେ ବହୁମୁଖୀ ସଭାଗୃହର ଉଦ୍‌ଘାଟନ କଲେ ବଲାଙ୍ଗିର ବିଧାୟକ ନରସିଂହ

  • ବିଜେଡି ନେତାଙ୍କ ନାରୀ ନିର୍ଯ୍ୟାତନା ଉପରେ ଆଇନ ବାଟବଣା ହେଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ କଲେ କଟାକ୍ଷ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ସ୍ଥିତ ମୁରସିଂଠାରେ ଏକ କମ୍ୟୁନିଟି ସେଣ୍ଟର ଏବଂ ବହୁମୁଖୀ ସଭାଗୃହର ଶୁଭ ଉଦ୍‌ଘାଟନ ଉତ୍ସବ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ସପ୍ତାହେ ତଳେ ମୁରସିଂ ସ୍ଥିତ ଖ୍ରୀଷ୍ଟିୟାନ କମ୍ୟୁନିଟିର ସାଧାରଣ ଲୋକେ ବିଧାୟକ ଶ୍ରୀ ମିଶ୍ରଙ୍କଠାରେ ଏକ କମ୍ୟୁନିଟି ସେଣ୍ଟରର ଦାବୀ ଜଣାଇଥିଲେ, ଯାହାକି ସେ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିବା ସହ ଆଜି ଗ୍ରାମବାସୀଙ୍କ ସହିତ ସେହି କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପୂର୍ବରୁ ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରସ୍ତାବରେ ୧୭ ଲକ୍ଷ ଟଙ୍କା ବ୍ୟୟରେ ଖ୍ରୀଷ୍ଟିୟନ ଭାଇଭଉଣୀମାନଙ୍କ ନିମିତ୍ତ ଏକ ବହୁମୁଖୀ ସଭାଗୃହ ନିର୍ମାଣ କରାଯାଇଥିଲା । ଯାହାକି ଶୁଭ ଉଦ୍‌ଘାଟନ ଉତ୍ସବ ମଧ୍ୟ ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଂଳବାସୀଙ୍କ ତରଫରୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଏକ ସାଧାରଣ ସଭାରେ କୃତଜ୍ଞତା ଜ୍ଞାପନ ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରତିଉତ୍ତରରେ ବିଧାୟକ ଶ୍ରୀ ମିଶ୍ର ଖ୍ରୀଷ୍ଟିୟାନ ସଂପ୍ରଦାୟ ତଥା ଗ୍ରାମବାସୀ ନିଜ ଭିତରେ ଏକତା ରଖିଲେ କୌଣସି ବି ଶକ୍ତି ଏ ଅଂଚଳ ବିକାଶକୁ ରୋକି ପାରିବ ନାହିଁ ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦିତା ଯୋଗୁଁ ଆଜି ଦେଶରେ ଅନେକ ଅରାଜକତା ଦେଖାଦେଉଛି । ସଂଖ୍ୟା ଲଘୁ ସୁରକ୍ଷିତ ମନୁ ନାହାନ୍ତି । ଯୁବକ ବେକାରଗ୍ରସ୍ତ ହେଲେଣି ତଥାପି ମଧ୍ୟ କେନ୍ଦ୍ର ସରକାର କେବଳ ଭାଷଣରେ ଲୋକଙ୍କୁ ଭୁଆ ବୁଲାଇବାରେ ଲାଗିଛନ୍ତି । ଠିକ୍‌ ସେହିପରି ରାଜ୍ୟରେ ନବୀନ ସରକାର ମଧ୍ୟ ନାରୀ ସଶକ୍ତିକରଣ ଫମ୍ପା ଶ୍ଲୋଗାନ ଦେଇ କାମ କରିବା ବେଳେ ତାର ଓଲଟା କରୁଛନ୍ତି । ସରକାରରେ ଥିବା ମନ୍ତ୍ରୀ ବିଧାୟକମାନେ ନାରୀ ନିର୍ଯ୍ୟାତନା କରିବାର ଆସିଲେ ମଧ୍ୟ ସରକାର ତୁନି ପଡୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ସଦ୍ୟ ଘଟିଥିବା ଘଟଣା ବଲାଙ୍ଗିର ରାଜ ପରିବାରର ଗୁମର କଥା ସମସ୍ତେ ଜାଣିଥିବେ । ଅଭିଯୋଗକାରିଣୀ ବିଜେଡିର ପୂର୍ବତନ ମନ୍ତ୍ରୀ ତାଙ୍କ ପୁଅ ତଥା ପରିବାର ବର୍ଗଙ୍କ ନାଁରେ ନାରୀ ନିର୍ଯ୍ୟାତନ ଭଳି ସଙ୍ଗିନ ଅଭିଯୋଗ ଆଣିଥିଲେ ହେଁ ମୁଖ୍ୟମନ୍ତ୍ରୀଙ୍କ ଆଇନ ତା’ ବାଟରେ ନ ଯାଇ ବାଟବଣା ହେଉଛି । ଏହି ନିର୍ଯ୍ୟାତନାକୁ ନେଇ ବଲାଙ୍ଗିର ପୋଲିସକୁ ନିର୍ଯ୍ୟାତିତା ଅଭିଯୋଗ ଜଣାଇଥିଲେ ହେଁ କୌଣସି ସୁଫଳ ମିଳି ନ ଥିବାରୁ ସେ ବାଧ୍ୟ ହୋଇ ଉତ୍ତରାଖଣ୍ଡ ପୋଲିସର ସହାୟତା ଲୋଡିବା ପ୍ରମାଣ କରୁଛି ଯେ ଏହି ସରକାରର ନାରୀ ସଶକ୍ତିକରଣ ଓ ନାରୀ ସୁରକ୍ଷା ଶ୍ଲୋଗାନ ଏକ କୁମ୍ଭୀର କାନ୍ଦଣା ବୋଲି ଶ୍ରୀ ମିଶ୍ର କଟାକ୍ଷ କରିଥିଲେ । ଆଜିର ଉଭୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ଅସୀତ ମିଶ୍ର, ରାମଜୀ ଚୌଧୁରୀ, କାନ୍ତେଶ୍ୱର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୈଳାସ ତାଣ୍ଡି, ଚର୍ଚ୍ଚ ସଂପାଦକ ନିତ୍ୟାନନ୍ଦ ସୁନା, ପଙ୍କଜିନି ଛତ୍ରିଆ, ଆଇଜାକ ସୁନା, ଇସମାଇଲ ସୁନା, ଜୟନ୍ତ ନନ୍ଦ, ପ୍ରୀତମ ସୁନା, ଢୋଳାମଣି ବାଗ, ବଳରାମ ନାଗ ଏବଂ ପାଷ୍ଟର ପ୍ରୀତମ ସୁନାଙ୍କ ସହ ଅନେକ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.