ରାଜ୍ୟର ୭୩୦୦ ପଞ୍ଜିକୃତ ଖବରକାଗଜ ହକର ପାଇଲେ ଜଣକେ ୬୦୦୦ ଟଙ୍କା କୋଭିଡ଼ ସହାୟତା

• ରାଜ୍ୟର ଖବରକାଗଜ-ହକରଙ୍କୁ ସମୁଦାୟ ୪.୩୮ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ଼ ସହାୟତା
• ଭାରତ ଇତିହାସରେ ମୁଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ
• ଦୁଃଖ ବୁଝିଥିବାରୁ ରାଜ୍ୟର ଖବରକାଗଜ ହକରମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବର କାଗଜ ହକରମାନଙ୍କୁ ସେମାନଙ୍କର ହକ୍‌ ପ୍ରଦାନ କରିଛନ୍ତି । ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି । ଏହି ସହାୟତା ପାଇଁ ରାଜ୍ୟର ୭୩୦୦ ହକରମାନଙ୍କ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ୍‌ ପ୍ରସ୍ତୁତ କରାଯାଇ ପଞ୍ଜିକୃତ କରାଯାଇଛି । ପ୍ରତ୍ୟେକ ପଞ୍ଜୀକୃତ ହକର ୬୦୦୦ ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି । ସମୁଦାୟ ୪ କୋଟି ୩୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି । ଏହି ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହକରମାନେ ହେଉଛନ୍ତି ଖବର କାଗଜ ଓ ପାଠକମାନଙ୍କ ମଧ୍ୟରେ ସେତୁ । ଖରା, ବର୍ଷା, ଶୀତ ସବୁ ସମୟରେ ଏପରିକି କୋଭିଡ ମହାମାରୀ ସମୟରେ ମଧ୍ୟ ସେମାନେ ନିଜ ଦୁଃଖ କଷ୍ଟକୁ ଭୁଲି ପାଠକମାନଙ୍କୁ ଖବର କାଗଜ ଯୋଗାଇଛନ୍ତି । ଡିଜିଟାଲ ଯୁଗରେ ମଧ୍ୟ ଖବର କାଗଜର ଚାହିଦା କମି ନାହିଁ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୋଭିଡ ସହାୟତା ସହିତ ହକରମାନଙ୍କୁ ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡରେ ସାମିଲ କରାଯାଇ ସାହାଯ୍ୟ ପ୍ରଦାନ କରାଯିବ । ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କା, ସ୍ୱଭାବିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ସଂପୂର୍ଣ୍ଣ ଅକ୍ଷମ ହୋଇଥିବା ହକରମାନଙ୍କ ପାଇଁ ମଧ୍ୟ ସହାୟତା ବ୍ୟବସ୍ଥା କରାଯାଇଛି । ହକରମାନେ ସୁବିଧାରେ କାମ କରିବା ପାଇଁ ଜିଲ୍ଲାସ୍ତରରେ ୱାର୍କସେଡ୍‌ ନିର୍ମାଣ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ନିର୍ମାଣ କରାଯିବ । ସୂଚନାଯୋଗ୍ୟ ଯେ, ଦୁର୍ଘଟଣାଜନିତ ସଂପୂର୍ଣ୍ଣ ଅକ୍ଷମତା ଯୋଗୁଁ ହକରମାନଙ୍କୁ ଦେଢଲକ୍ଷ ଟଙ୍କା, ଉଭୟ ଅଙ୍ଗ ହରାଇଥିବା ହକରମାନଙ୍କୁ ୮୦ ହଜାର ଓ ଗୋଟିଏ ଅଙ୍ଗ ହରାଇଥିବା ହକରମାନଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଲୋକସେବା ଭବନ କନ୍‌ଭେନସନ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଳ ସମ୍ପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ କରି ଓଡିଶାରେ ପ୍ରଗତୀର ନୂଆ ଇତିହାସ ଲେଖିଛନ୍ତି । ଆର୍ଥିକ ଦୂରାବସ୍ଥାର ସମ୍ମୁଖୀନ ହେଉଥିବା ହକରମାନେ ଏହା ଦ୍ୱାରା ଉପକୃତ ହେବେ ବୋଲି ସେ କହିଥିଲେ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏଥିରେ ଯୋଗ ଦେଇ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସାରା ଦେଶରେ ଅଭିନବ ଓ ଅନନ୍ୟ । କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଗୋବର୍ଦ୍ଧନ ଦାସ, କଟକରୁ ରତ୍ନାକର ପ୍ରଧାନ, ସମ୍ବଲପୁରରୁ କୃଷ୍ଣଚନ୍ଦ୍ର ନାଥ ଓ ବ୍ରହ୍ମପୁରରୁ ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ହକରମାନେ ସେମାନଙ୍କର ଅନୁଭବ ବ୍ୟକ୍ତ କରି କହିଥିଲେ ଯେ, ଆମେ ହକର ଭାଇମାନେ ଅନେକ ଅର୍ଥାଭାବର ସମ୍ମୁଖୀନ ହୋଇଛୁ । ମୁଖ୍ୟମନ୍ତ୍ରୀ ଆମ ଦୁଃଖ ବୁଝିଥିବାରୁ ଆମେ ହୃଦୟରୁ ତାଙ୍କ ପ୍ରତି ଆମର କୃତଜ୍ଞତା ପ୍ରକାଶ କରୁଛୁ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ୱାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ, ବିଧାୟକଗଣ, ଜିଲ୍ଲାପାଳ, ସୂଚନା ଓ ଲୋକସଂପର୍କ ଅଧିକାରୀ ଓ ହକରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.