
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ “ବେଟି ବଚାଓ ବେଟି ପଢ଼ାଓ” ଏବଂ ନାରୀ ଶିକ୍ଷା ଓ ସୁରକ୍ଷାକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ବାରିକ କନ୍ୟା ସନ୍ତାନ ପ୍ରତି ଭେଦଭାବ ଦୂର କରି ଶିକ୍ଷା କ୍ଷେତ୍ରରେ ସମାନ ସୁଯୋଗ ଦେବା ସହ ବାଲ୍ୟବିବାହ, ଲିଙ୍ଗଭେଦ ଓ କନ୍ୟା ଭ୍ରୁଣ ହତ୍ୟା ଭଳି ସାମାଜିକ ସମସ୍ୟା ବିରୋଧରେ ସଚେତନ ହେବା ପାଇଁ କହିଥିଲେ । ମୁଖ୍ୟ ଅତିଥି ମହାବିଦ୍ୟାଳୟର ଶକ୍ତିଶ୍ରୀ ସାଂଯୋଜିକା ମୀନା କୁମାରୀ ସାହୁ ନାରୀ କିଭଲି ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ହୋଇ ଏକ ସୁସ୍ଥ ସମାଜ ଗଠନରେ ତାର ପାରଦର୍ଶିତା ପ୍ରତିପାଦିତ କରିପାରିବ ଓ ନାରୀ ସୁରକ୍ଷା ତଥା ସଶକ୍ତୀକରଣ ସଂପର୍କିତ ଅନେକ ତଥ୍ୟଭିତ୍ତିକ ବାର୍ତ୍ତା ପ୍ରଦାନ କରିଥିଲେ । ପାଇକମାଲ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବାସନ୍ତୀ ପୂର୍ତ୍ତୀ ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସଭା ପରିଚାଳନା କରିଥିଲେ । ସୁପରଭାଇଜର ସୂର୍ଯ୍ୟକାନ୍ତୀ ହୋତା ନାରୀର ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ହୋଇଥିବା ସାଧାରଣଜ୍ଞାନ, ତର୍କ ଓ ପୋଷ୍ଟର ତିଆରି ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଭା ଶେଷରେ ଅଧ୍ୟାପିକା ପୁଷ୍ପମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି କନ୍ୟା ସନ୍ତାନର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସଂକଳ୍ପବଦ୍ଧ ହୋଇଥିଲେ ।