pakka

ପିଜି ସିଟ୍‌ ଖୋଲିବାରେ ଭୀମଭୋଇ ମେଡିକାଲ କଲେଜ ନୂତନ କଲେଜମାନଙ୍କ ମଧ୍ୟରୁ ପ୍ରଥମ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜର ଇତିହାସରେ ସଫଳତାର ଏକ ନୂତନ ଅଧ୍ୟାୟ ଯୋଡି ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଏମ୍‌ବିବିଏସ୍‌ ଶିକ୍ଷାଦାନ ହେଉଥିବା ଏହି ଅନୁଷ୍ଠାନରେ ଚଳିତ ବର୍ଷ ମେ’ ମାସ ଠାରୁ ପୋଷ୍ଟ ଏମ୍‌ବିବିଏସ୍‌ ଡିପ୍ଲୋମା(୨ ବର୍ଷ) ପାଠ୍ୟକ୍ରମରେ ଶିକ୍ଷାଦାନ ଆରମ୍ଭ ହୋଇଯାଇଛି । ନେସ୍‌ନାଲ ବୋର୍ଡ ଅଫ୍‌ ଏକ୍‌ଜାମିନେସନ୍‌ (ଏମ୍‌ବିଇ) ଦ୍ୱାରା ପରିଚାଳିତ ଏହି ପାଠ୍ୟକ୍ରମ ପାଇଁ ଭୀମଭୋଇ ମେଡିକାଲ କଲେଜର ବିଭିନ୍ନ ବିଭାଗରେ ୧୩ଟି ସିଟ୍‌ ପାଇଁ ସ୍ୱୀକୃତି ମିଳିଯାଇଛି । ପରିବାର ଭେଷଜ ଚିକିତ୍ସା, କର୍ଣ୍ଣ ନାସା ଓ ଗଳା ଚକ୍ଷୁ ନିଶ୍ଚେତକ ଏବଂ ରଞ୍ଜନ ରଶ୍ମି ବିଭାଗରେ ଏହି ଶିକ୍ଷାଦାନ ଆରମ୍ଭ ହୋଇଯାଇଛି । ଏହି ଶିକ୍ଷାଦାନ ପାଇଁ ଏଡ୍‌ମିଶନ୍‌ ପ୍ରକ୍ରିୟା ଚଳିତ ବର୍ଷ ଫେବୃୟାରୀରୁ ମେ’ ମାସ ଯାଏଁ ନିଟ୍‌/ପିଜି ଦ୍ୱାରା ୫୦ ପ୍ରତିଶତ ଅଲ୍‌ ଇଣ୍ଡିଆ କୋଟା ଏବଂ ୫୦ ପ୍ରତିଶତ ଷ୍ଟେଟ କୋଟା ମାଧ୍ୟମରେ ଚାଲିଥିଲା । ମହାବିଦ୍ୟାଳୟର ଶିକ୍ଷାଦାନ ଓ ରୋଗୀ ସେବାର ମାନ, ଭିତ୍ତିଭୂମି ଓ ଶିକ୍ଷକଙ୍କ ଗୁଣବତ୍ତାର ଏମ୍‌ବିଇ ଦ୍ୱାରା ସର୍ବ ଭାରତୀୟ ସ୍ତରରେ ଆକଳନ କଲାପରେ ହିଁ ଏହି ସ୍ୱୀକୃତି ମିଳିଥାଏ, ଯାହାକି ଭୀମଭୋଇ ମେଡିକାଲ କଲେଜ ସଫଳତାର ସହ ହାସଲ କରିଛି । ସୂଚନା ଯୋଗ୍ୟ ଯେ, ନୂତନ ଭାବରେ ଖୋଲିଥିବା ୪ଟି ମେଡିକାଲ କଲେଜ ମଧ୍ୟରୁ କେବଳ ଭୀମଭୋଇ ମେଡିକାଲ କଲେଜ, ବଲାଙ୍ଗିରରେ ଚଳିତ ବର୍ଷ ଏହି ପାଠ୍ୟକ୍ରମ ଆରମ୍ଭ ହୋଇଯାଇଛି, ଯାହାକି ସର୍ବଭାରତୀୟ ସ୍ତରରେ କଲେଜର ଶିକ୍ଷାଦାନ ଓ ଅନ୍ୟାନ୍ୟ ଆନୁସଂଗୀକ ବ୍ୟବସ୍ଥାର ଗୁଣବତ୍ତା ପ୍ରତିପାଦନ କରୁଛି । ଉଲ୍ଲେଖ ଯୋଗ୍ୟ ଯେ, ଡିନ୍‌ ଓ ପ୍ରିନ୍ସିପାଲ ପ୍ରଫେସର ସବିତା ମହାପାତ୍ରଙ୍କର ଗତ ଏକ ବର୍ଷର ପ୍ରଚ୍ଛନ୍ନ ଉଦ୍ୟମ ଓ ନିରବଚ୍ଛିନ୍ନ ପ୍ରଚେଷ୍ଠା କଲେଜର ଏହି ସଫଳତା ଆଣିବାରେ ସକ୍ଷମ ହୋଇପାରିଛି ।

Leave A Reply

Your email address will not be published.

fifteen + four =