jayashree

ବାତ୍ୟା ‘ଅର୍ଣ୍ଣବ’ରେ ଫସଲ କ୍ଷୟକ୍ଷତି ଆକଳନ ଆରମ୍ଭ : କୃଷି ଅଧିକାରୀଙ୍କ ସହ ସାଂସଦଙ୍କ ପ୍ରତିନିଧିଙ୍କ କ୍ଷେତ୍ର ପରିଦର୍ଶନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିକୁ ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ବିଶେଷକରି ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନ ଯୋଗୁଁ କୃଷିଜାତ ଫସଲର କ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ଏହାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତିର ଆକଳନ ପାଇଁ କୃଷି ବିଭାଗର ଅଧିକାରୀଙ୍କ ସହ ସାଂସଦଙ୍କ କୃଷି ବିଭାଗୀୟ ପ୍ରତିନିଧି କ୍ଷେତ୍ର ପରିଦର୍ଶନ କରିଛନ୍ତି । ଦାରିଙ୍ଗବାଡ଼ି ବ୍ଲକର ଦାସିଙ୍ଗବାଡ଼ି, ସୋନପୁର, ଗଦାପୁର ଓ ବ୍ରାହ୍ମଣୀଗାଁ ଆଦି ଗ୍ରାମ ପଞ୍ଚାୟତର ବିଭିନ୍ନ ଚାଷ ଜମି ବୁଲି ଫସଲର ସ୍ଥିତି ଓ ବାତ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା । ଏହି ପରିଦର୍ଶନରେ ଦାରିଙ୍ଗବାଡ଼ି ଗୋଷ୍ଠୀ କୃଷି ଅଧିକାରୀ ଶଶାଙ୍କ କୁମାର ମଲ୍ଲିକ, ସହକାରୀ କୃଷି ଅଧିକାରୀ ଅଶ୍ଳେଷା ରଥ ଏବଂ ବୈଷୟିକ କୃଷି ସହାୟକ ଅଧିକାରୀ ଅରୁଣ କୁମାର ପ୍ରଧାନ ଉପସ୍ଥିତ ରହି କ୍ଷୟକ୍ଷତିର ସ୍ଥିତି ସମୀକ୍ଷା କରିଥିଲେ । ଏଥିସହ ଦାରିଙ୍ଗବାଡ଼ି ବ୍ଲକର ସାଂସଦଙ୍କ କୃଷି ବିଭାଗୀୟ ପ୍ରତିନିଧି ଶ୍ୟାମ ମହାଙ୍କୁଡ ମଧ୍ୟ ସାମିଲ ହୋଇଥିଲେ ।

Leave A Reply

Your email address will not be published.