ଭିଜିଲାନ୍ସ ଜାଲ : ଅନେକ କୋଟିପତି ସରକାରୀ ଅଧିକାରୀ‌ଙ୍କ ଭଳି ମୁରିବାହାଲ ବନବିଭାଗର ରେଞ୍ଜର ଏବେ ଭିଜିଲାନ୍ସ ପନ୍‌ଝାରେ

ଟିଟିଲାଗଡ, (ଗୌରବ ଦର୍ଜୀ) : ପୁଣି ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ଅଧିକାରୀଙ୍‌ଙ୍କ ଧରପଗଡ଼ ବେଶ୍‌ ସର୍‌ଗରମ୍‌ ହୋଇ ଉଠୁଛି । ବଲାଙ୍ଗିର ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ସରକାରୀ ଅଧିକାରୀ, କର୍ମଚାରୀ ଏବେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡୁଛନ୍ତି । ଏଥର ଭିଜିଲାନ୍ସ ଜାଲରେ ଜଣେ ବନବିଭାଗର ରେଞ୍ଜର ପଡ଼ିଛନ୍ତି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବନଖଣ୍ଡର ରେଞ୍ଜର ପ୍ରଶାନ୍ତ କୁମାର ନାଏକଙ୍କ ଘରେ ଭିଜିଲାନ୍ସ ରେଡ୍‌ । କୋଟି କୋଟି ଟଙ୍କାର ମାଲିକ ସାଜିଥିବା ଏହି ଅଧିକାରୀଙ୍କ ଘରେ ଗତକାଲି ଭିଜିଲାନ୍ସର ଟିମ ରେଡ୍ କରିଛନ୍ତି । ଚାଲିଥିଲା ଜୋର୍‌ଦାର୍‌ ତନାଘନା । ଗୋଟି ଗୋଟି କରି ଚାଲିଥିଲା ନଥିପତ୍ର ଯାଞ୍ଚ, ବ୍ୟାଙ୍କ ଆକାଉଣ୍ଟ ଠୁ ନେଇ ଏଲଆଇସି ବଣ୍ଡ ଯାଏ, ଜମି ବାଡ଼ି କାଗଜପତ୍ର ଠୁ ନେଇ ବିଭିନ୍ନ ଦଲିଲ୍‌ ପର୍ୟ୍ୟନ୍ତ ଚାଲିଥିଲା ସର୍‌ଜମିନ୍‌ ତଦନ୍ତ । କେତେବେଳେ କୋଠାବାଡିକୁ ମାପ କରାଯାଉଥିଲା ତ ପୁଣି କେତେବେଳେ ଗାଡିମାନଙ୍କ ଦସ୍ତାବେଜକୁ ନେଇ ମାରାଥନ ଜେରା । ଟିଟିଲାଗଡ଼ ସହର ହାଟପଦାପଡାରେ ଥିବା ମୁରିବାହାଲ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ନାଏକଙ୍କ ବାସ ଭବନରେ ଆଜି ଭିଜିଲାନ୍ସ ଚଢ଼ାଉ କରିଥିଲା । ଗତକାଲି ଗୁରୁବାର ଦିନ ସକାଳ ୬ ଟାରୁ ଭିଜିଲାନ୍ସ ବିଭାଗର ଏକ ଟିମ ବେଆଇନ ଆୟ ବହିର୍ଭୁତ ସମ୍ପତ୍‌ତ୍ତ ଠୁଳ କରିବା ଅଭିଯୋଗ ନେଇ ଆସି ଚଢ଼ାଉ ଆରମ୍ଭ କରିଥିଲେ । ଏକକାଳୀନ ତିନୋଟି ସ୍ଥାନର ଚାରୋଟି ଜାଗାରେ ଚାଲିଥିଲା ରେଡ୍‌ । ମୁରିବାହାଲ ବନଖଣ୍ଡ ଅଫିସ, ସରକାରୀ ବାସଭବନ, ଟିଟିଲାଗଡ଼ ସହର ନିକଟସ୍ଥ ବେଳପଦର ଗାଁରେ ଥିବା ଫାର୍ମ ହାଉସ୍‌ ସହ ଟିଟିଲାଗଡ଼ ବାସଭବନ ଉପରେ ହୋଇଥିଲା ରେଡ୍‌ । ରେଞ୍ଜର ଶ୍ରୀ ନାଏକ କହନ୍ତି, ସରକାରୀ ଚାକିରୀ ବ୍ୟତୀତ ବ୍ୟବସାୟ ବି କରନ୍ତି । କପଡା ମାନ ମାଗି ଆଣି ତାହା ବିକ୍ରି କରନ୍ତି । ଏକ୍ସପୋର୍ଟ, ଇମ୍ପୋର୍ଟ କରନ୍ତି । ଗାଡି ମାନ ଭଡାରେ ଲଗାନ୍ତି, ପ୍ରତିମାସ ଟ୍ୟାକ୍ସ ବାବଦକୁ ୬୦ ଲକ୍ଷ ଟଙ୍କା ଦେଉଛନ୍ତି । ଅନେକ ବ୍ୟବସାୟ କରୁଛନ୍ତି ଏବଂ ସେଠାରୁ ଟଙ୍କା ରୋଜଗାର କରୁଛନ୍ତି । ଦୁଇ ଗୋଟି ବ୍ୟାଙ୍କରୁ ପ୍ରାୟ ୨୬ ଲକ୍ଷ ଟଙ୍କା ଋଣ ଆଣିଥିବା କହିଛନ୍ତି । ଅନେକ ବ୍ୟାଙ୍କ୍ ଆକାଉଣ୍ଟ ରହିଥିବା କଥା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । କିଛି ବ୍ୟାଙ୍କ୍ ଆକାଉଣ୍ଟରେ ପ୍ରାୟ ତିରିଶ ଲକ୍ଷ ଥିବା ଜଣାପଡ଼ିଛି। ତେବେ ସବୁଠାରୁ ଆଶ୍ଚର୍ୟ୍ୟର କଥା ଯେ, କପଡା ମାନ ମାଗି ଆଣି ତାହା ବିକ୍ରି କରିବା ଘଟଣା ରହିଛି ଏବଂ ଦୁଇ ଗୋଟି ଗାଡିର ଭଡା କଥା କହୁଥିବା ବେଳେ ଗୋଟିଏ ଗାଡି କିଛି ଦିନ ତଳେ ଅଣାଯାଇଥିବା ସୂଚନା ରହିଛି । ଏମିତି ସ୍ଥଳେ କେମିତି ଗାଡି ଭଡା ପାଉଥିଲେ, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ହୋଇରହିଛି । ଶ୍ରୀ ନାଏକଙ୍କ ନାମରେ ଅନ୍ୟ ଦୁଇଟି ଗାଡ଼ି ଥିବା ବେଳେ ତାହା ଉପହାର ପାଇଥିବା କହିଛନ୍ତି । ଯାହା ନାମରେ ଗାଡ଼ି ଅଛି ସେ ହେଉଛନ୍ତି ରତନ ଭାଟି । ସେ କୌଣସି ଗଡି ଉପହାର ଦେଇ ନ ଥିବା କହିଥିବା ବେଳେ ସେ ଜଣେ ଗାଡ଼ି ଡ୍ରାଇଭର ବୋଲି ସ୍ବୀକାର କରିଛନ୍ତି । ଶ୍ରୀ ନାଏକଙ୍କ ଟିଟିଲାଗଡ଼ ସହର ନିକଟସ୍ଥ ବେଲପଦର ଗାଁରେ ଫାର୍ମ ହାଉସ ୨ ଏକର ୪୭ ଡିସମିଲ ଜାଗାରେ ରହିଥିବା ବେଳେ ସେଠାରେ ଏକ ଦୁଇ ମହଲା କୋଠା ରହିଛି । ଏକ ସୁଇମିଙ୍ଗ ପୁଲ୍‌ ନିର୍ମାଣ ଚାଲିଛି । ଏହିସବୁ ବିଷୟକୁ ନେଇ ଆଜି ଭିଜିଲାନ୍ସ ବିଭାଗ ତାର ତଦନ୍ତ ଆରମ୍ଭ କରିଛି । ଭିଜିଲାନ୍ସ ଡ଼ିଏସପି ଦାଶରଥୀ ସେଠିଙ୍କ ନେତୃତ୍ୱରେ ବଲାଙ୍ଗୀର, ବରଗଡ଼, ସୋନପୁର ଏବଂ ସମ୍ବଲପୁରର ଭିଜିଲାନ୍ସ ଟିମ୍‌ ଏକକାଳୀନ ଭାବରେ ଚଢ଼ାଉ ଜାରି ରଖିଛନ୍ତି । ଶ୍ରୀ ନାଏକ କେନ୍ଦୁଝର ଜିଲ୍ଲା ମାଧବପୁର ଗ୍ରାମର ବୋଲି ଜଣାପଡିଛି । ସେ ବନବିଭାଗ ରେ ୧୯୮୮ରେ ଯୋଗ ଦେଇଥିବା ବେଳେ ଟିଟିଲାଗଡ ଉପଖଣ୍ଡରେ ପ୍ରାୟ ୧୬ ବର୍ଷ ହେଲା ରହି ଆସୁଥିବା କହିଛନ୍ତି । ତଦନ୍ତରୁ ଭିଜିଲାନ୍ସ ସୁନା ୪୪୧ ଗ୍ରାମ ପାଇଛନ୍‌ନ୍ତି, ଯାହାର ଆକଳନ ପ୍ରାୟ ଆଠ ଲକ୍ଷ ପର୍ୟ୍ୟନ୍ତ ହୋଇପାରେ ବୋଲି କହିଛନ୍ତି । ଶ୍ରୀ ନାଏକ ତିଆରି କରିବା ଘର ଗୁଡିକ ପ୍ରାୟ ୯୮ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ବିଭାଗ କହିଛନ୍ତି । ଏହି ଘଟଣା ଅଭୟ ପାଠକ ମାମଲା ସହ ଲିଙ୍କ୍ ହୋଇ ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଗତକାଲି ରାତି ପ୍ରାୟ ୧୦ ଟା ୪୦ ମିନିଟରେ ଭିଜିଲାନ୍ସ ଶ୍ରୀ ନାଏକଙ୍କୁ ଘରୁ ଉଠାଇ ନେଉଛି ବଲାଙ୍ଗିରକୁ। ବର୍ତ୍ତମାନ ଅପେକ୍ଷା ରହିଲା ଭିଜିଲାନ୍ସର ଆଗକୁ ପଦକ୍ଷେପ କ’ଣ ରହୁଛି…. ।

Leave A Reply

Your email address will not be published.