ସହାୟତା ଅପେକ୍ଷାରେ କିଡନୀ ରୋଗୀ ଅଲେଖ ନାଗ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗିର ଜିଲା ଲୋଇସିଂହା ବ୍ଲକ କୁଟେନପାଲି ପଂଚାୟତ ଅଧିନ ଦୁମଦୁମି ଗ୍ରାମ ବାସିନ୍ଦା ଉଗ୍ରସେନ ନାଗଙ୍କ ପୁଅ ଅଲେଖ । ବୟସ ମାତ୍ର ୩୫ । ସ୍ତ୍ରୀ ପଦ୍ମିନୀ ଓ ଏକମାତ୍ର ୩ ବର୍ଷର ଝିଅକୁ ନେଇ ଅଲେଖଙ୍କ ସଂସାର । ତେବେ ପ୍ରାୟ ୨୦ ଦିନ ତଳେ ନଭେମ୍ବର ମାସରେ ତାଙ୍କୁ ହଠାତ ଜ୍ୱର ହେବା ସହିତ ଗୋଡ଼ହାତ ଅଚଳ ହୋଇଗଲା । ସ୍ତ୍ରୀ ଏବଂ ସାନଭାଇଙ୍କ ସହାୟତାରେ ଅଲେଖ ଡାକ୍ତରଙ୍କ ସହିତ ପରାମର୍ଶ କଲେ । ବିଭିନ୍ନ ପରୀକ୍ଷା କରିବା ପରେ ତାଙ୍କ ଦୁଇଟି ଯାକ କିଡନୀ ଅକାମୀ ହୋଇ ଯାଇଥିବା ଡାକ୍ତର ସୂଚନା ଦେଇଥିଲେ । ଧାର କରଜ କରି ଅଲେଖ ପ୍ରଥମେ ବଲାଂଗିର ଭୀମଭୋଇ ମେଡିକାଲ ଓ ପରେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ବୁର୍ଲାରେ ତାଙ୍କର ଦୁଇଥର ଡ଼ାୟଲିସିସି ମଧ୍ୟ କରାଯାଇଥିବା ସ୍ତ୍ରୀ ପ୍ରକାଶ କରିଛନ୍ତି । ତେବେ ଅର୍ଥାଭାବରୁ ତାଙ୍କୁ ବୁର୍ଲାରୁ ଘରକୁ ଫେରାଇ ଆଣିଥିବା ବେଳେ ଭାଗ୍ୟକୁ ଆଦରି ଘରେ ପଡି ରହିଥିବା ଅଲେଖଙ୍କ ସ୍ତ୍ରୀ ପଦ୍ମିନୀ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଅଲେଖଙ୍କ ବୃଦ୍ଧ ପିତାମାତା ମଧ୍ୟ ଅର୍ଥାଭାବରୁ ପୁଅର ଅଧିକ ଚିକିତ୍ସା କରିବାରେ ଅସମର୍ଥ ଥିବା ସହିତ ନିଜର ଅସହାୟତା ପ୍ରକାଶ କରିଛନ୍ତି । ସରକାରୀ ସ୍ତରରେ ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ତାଙ୍କ ସ୍ତ୍ରୀ ନିବେଦନ କରିଛନ୍ତି । ଏଥିସହିତ କିଡନୀ ରୋଗାକ୍ରାନ୍ତ ଅଲେଖଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଇଛୁକ ବ୍ୟକ୍ତିବିଶେଷ ତାଙ୍କ ମୋବାଇଲ ନଂ-୮୧୪୪୬୪୮୫୦୦ ରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.