om academy

ଆଗ ଥଇଥାନ ପରେ ଉଚ୍ଛେଦକୁ ପାଳନ କଲା ବଲାଙ୍ଗିର ପୌର ପରିଷଦ

jsm
  • ଜାଗା ମିଶନ ଜରିଆରେ ୧୬ଟି ପରିବାରଙ୍କୁ ପଟ୍ଟା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକଙ୍କୁ ବାସହୀନ, ଆଶ୍ରାହୀନ ଓ ଅସହାୟ କରି ଛାଡିଦେଇ ଧ୍ୱଂସସ୍ତୁପ ଉପରେ ବିକାଶ ଆମର ଲକ୍ଷ ନୁହେଁ । ବଲାଙ୍ଗିରର ସବୁ ବର୍ଗର ଲୋକଙ୍କୁ ନେଇ ବିସ୍ଥାପନ ପୂର୍ବରୁ ଉଚିତ ଥଇଥାନ କରି ବିକାଶ କରିବା ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ । ଆମେ ରାତି ଅଧିଆ ଉଚ୍ଛେଦ ନକରି ଲୋକଙ୍କୁ ଜାଗା ମିଶନ ଜରିଆରେ ସ୍ଥାନ ଦେଇ ଏକ ସୁନ୍ଦର ବଲାଙ୍ଗିର ଗଠନ କରିବା ଆମର ଲକ୍ଷ୍ୟ ବୋଲି ଆଜି ମହାରାଣୀ ସାଗର ପାଖରେ ଥିବା ତୁଲସୀନଗର ‘ଖ’ ବସ୍ତି ବାସିନ୍ଦାଙ୍କୁ ବିଷ୍ଣୁମୁଣ୍ଡା ଠାରେ ଆଦର୍ଶ କଲୋନୀରେ ପଟ୍ଟା ପ୍ରଦାନ ଅବସରରେ ସମସ୍ତ କାଉନସିଲର ଦୃଢ ସ୍ୱରରେ ଏ କଥା କହିଛନ୍ତି । ସୂଚନାଯୋଗ୍ୟ ଯେ, ମହାରାଣୀ ସାଗର ଉନ୍ନତିକରଣ ନାଁରେ ଜବର ଦଖଲ କରି ବସ୍ତି ତିଆରି କରି ରହୁଥିବା ଲୋକଙ୍କୁ ୨୪ ଘଣ୍ଟିଆ, ୪୮ ଘଣ୍ଟିଆ ନୋଟିସ୍‌ ଦେଇ ଉଚ୍ଛେଦ କରାଯାଉଥିବା ଉଦ୍ୟମକୁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ନେତୃତ୍ୱରେ ସମସ୍ତ କାଉନସିଲର ଦୃଢ ବିରୋଧ କରିଥିଲେ । ଯଦିଓ ମହାରାଣୀ ସାଗରର ଉନ୍ନତିକରଣ ପାଇଁ ଟଙ୍କା ଆସିଛି ବୋଲି କୁହାଯାଉଛି ମାତ୍ର ଏହାର ଡିପିଆର ସହିତ ଟେଣ୍ଡର ଏ ପର୍ଯ୍ୟନ୍ତ ହୋଇନଥିବା ବେଳେ ତରବରିଆ ଉଚ୍ଛେଦ ଉଦ୍ୟମ କେବଳ ପୌର ପରିଷଦକୁ ବଦନାମ କରିବା ପାଇଁ ଉଦ୍ଦିଷ୍ଟ ଓ ଏହାର ଚକ୍ରାନ୍ତକାରୀଙ୍କୁ ଉଚିତ ଜବାବ ଦେବେ ବୋଲି ଦୃଢ ସ୍ୱରରେ କହିଥିଲେ । ତରବରିଆ ଉଚ୍ଛେଦ ଉଦ୍ୟମ ବନ୍ଦ ହେବା ପରେ ପୌରାଧ୍ୟକ୍ଷା ଦେଇଥିବା ପ୍ରତିଶୃତି ଅନୁଯାଇ ମହାରାଣୀ ସାଗର ଆଡିରେ ରହୁଥିବା ୧୬ଟି ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମୀ ପଟ୍ଟା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌର ପରିଷଦର ବରିଷ୍ଠ କାଉନସିଲର ଶମ୍ଭୁ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜାଗା ମିଶନ ଜରିଆରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର ଗଙ୍ଗାଧର ଚାନ୍ଦ, କାଉନସିଲର ସରିତା ଦାଶ, ଇସ୍ମତ ଆରା ଖାନ, ପୌର ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇ ଓ ପୌରାଧ୍ୟକ୍ଷା ଲିକା ସାହୁ ଭୂମିହୀନ ଲୋକଙ୍କ ପାଇଁ ସମଗ୍ର ଭାରତ ବର୍ଷରେ ପ୍ରଥମ କରି ଚିନ୍ତା କରିଥିବା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହି ଯୋଜନା ମାଧ୍ୟମରେ ବସ୍ତି ବାସିନ୍ଦାମାନେ ନିଜ ପାଇଁ ଜାଗା ଅଧିକାର ପାଉଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ପଟ୍ଟା ବଣ୍ଟନ ସମୟରେ ଭାବ ବିହ୍ୱଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ବସ୍ତି ବାସିନ୍ଦାମାନେ ସେମାନଙ୍କୁ ପୌର ପରିଷଦର ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ଅନୁରୋଧ କରିଥିଲେ । ପୌର ପରିଷଦ ତରଫରୁ ନିଜର ଘର ତିଆରି ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାହାଯ୍ୟ ତଥା ଜବର ଦଖଲ ଘର ଛାଡିବା ପରେ ୪ ମାସ ପାଇଁ ଘରଭଡା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଘୋଷଣା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଜାଗା ମିଶନର ସଂଯୋଜକ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ କାଉନସିଲର ମହେନ୍ଦ୍ର ବାଗ, ନନ୍ଦିନୀ ପୋଢ, ସଂଯୁକ୍ତା ଦନ୍ତା, ସନ୍ତୋଷିନୀ କୁଅଁର, ଲଲାଟେନ୍ଦୁ ପଟ୍ଟନାୟକ, କିଶୋର କୁମ୍ଭାର, ଶତୃଘନ ବାଗ, ପ୍ରେମଲତା ନାଏକ, ମୁନ୍ନା ଖାନ, ମୁନୁ ପୋଡ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.