jayashree

ବାରିପଦା କୋର୍ଟ ପରିସରରେ ଭୁଷୁଡ଼ିଲା ପୁରୁଣା ପାଚେରୀ : ଅଳ୍ପକେ ବର୍ତ୍ତିଲେ ଲୋକେ

  • କାର ସହ ୧୦ରୁ ଊର୍ଦ୍ଧ୍ୱ ବାଇକ କ୍ଷତିଗ୍ରସ୍ତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଏହି ବର୍ଷା ମଧ୍ୟରେ ବାରିପଦା କୋର୍ଟ ପରିସରରେ ଥିବା ଏକ ପୁରୁଣା ପାଚେରୀ ଭୁଷୁଡ଼ି ପଡ଼ିଥିବାର ଦେଖାଯାଇଛି । ଭାଙ୍ଗି ପଡ଼ିଥିବା ପାଚେରୀର ଇଟା ତଳେ ଚାପି ହୋଇ କ୍ଷତିଗ୍ରସ୍ତ ହୋଇଛି ଜଣେ ଆଇନଜୀବୀଙ୍କ କାର ସମେତ ୧୦ରୁ ଊର୍ଦ୍ଧ୍ୱ ବାଇକ । ତେବେ ସୌଭାଗ୍ୟ ବଶତଃ ଏହି ଅଘଟଣରେ କାହାରି ଜୀବନ ଯାଇନାହିଁ କିମ୍ବା କେହି ଆହତ ହୋଇନାହାନ୍ତି । ସୂଚନା ଅନୁଯାୟୀ, କୋର୍ଟ ପରିସରରେ ଆଇନଜୀବୀ ମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ହଠାତ ଶୁଣିବାକୁ ମିଳିଥିଲା ଏକ ବଡ଼ ଶବ୍ଦ । ପ୍ରଥମେ କୌଣସି ପୁରୁଣା କୋଠା ଭାଙ୍ଗିପଡ଼ିଥିବା ଆଶଙ୍କା କରିଥିଲେ ଉପସ୍ଥିତ ଲୋକେ । ମାତ୍ର ବାହାରକୁ ଆସି ଦେଖିବା ବେଳକୁ ଭୁଷୁଡ଼ି ପଡ଼ିଥିଲା କୋର୍ଟର ପୁରୁଣା ପାଚେରୀ । ପାଚେରୀ ନିକଟରେ ପାର୍କିଂ ହୋଇଥିବା ଏକ କାର ଉପରେ ପଡ଼ିବାରୁ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିଲା । ଏଥିସହ ପାଚେରୀ ନିକଟରେ ରଖାଯାଇଥିବା ଏକାଧିକ ବାଇକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଅନ୍ୟପଟେ, ଏହି ଘଟଣା ପରେ କୋର୍ଟ ପରିସରରେ ଥିବା ପାର୍କିଂ ବ୍ୟବସ୍ଥା ଓ ପୁରୁଣା ପାଚେରୀର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ସ୍ଥାନୀୟ ବରିଷ୍ଠ ଆଇନଜୀବୀଙ୍କ ସୂଚନା ଅନୁଯାୟୀ, ପାଚେରୀ ନିକଟରେ ପ୍ରତିଦିନ ବିଭିନ୍ନ କୋର୍ଟ ଓ କାର୍ଯ୍ୟାଳୟକୁ ଆସୁଥିବା ଅଧିକାରୀ, ଆଇନଜୀବୀ ଏବଂ ସାଧାରଣ ଲୋକେ ନିଜ ଗାଡ଼ି ପାର୍କିଂ କରିଥାନ୍ତି । ଏହି ସ୍ଥାନରେ ଦୈନିକ ପ୍ରାୟ ୪୦ରୁ ୫୦ଟି ବାଇକ ଏବଂ ୮ରୁ ୯ଟି କାର ପ୍ରତିଦିନ ରହିଥାଏ । ତେବେ ପାଚେରୀ ଭୁଷୁଡିବା ବେଳେ ଗାଡି ସହିତ କେହି ଲୋକ ନଥିବାରୁ କେବଳ ଗାଡି ଗୁଡିକ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ଅଘଟଣ ପରେ କୋର୍ଟ ପରିସରରେ ଥିବା ଅନ୍ୟ ପୁରୁଣା ପାଚେରୀର ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକ ମରାମତି ଏବଂ ସୁରକ୍ଷିତ ପାର୍କିଂ ବ୍ୟବସ୍ଥା କରିବାକୁ ଦାବି ଉଠିଛି । ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନନେଲେ ଆଗକୁ ଏଭଳି ଅଘଟଣ ପୁନରାବୃତ୍ତି ହେବାର ଆଶଙ୍କା ରହିଛି । ତେଣୁ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପାଚେରୀର ମରାମତି ଓ ପାର୍କିଂ ବ୍ୟବସ୍ଥାର ସୁଧାର ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।

Leave A Reply

Your email address will not be published.