ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମସ୍ତ ୨୨ଟି ବ୍ଲକ ଅଞ୍ଚଳରେ ମାଦକ ଦ୍ରବ୍ୟ ଓ ମଦ ବିକ୍ରି ବ୍ୟାପକ ହେଉଥିବା ଅଭିଯୋଗ ହେଉଛି । ଏନେଇ ସିପିଆଇ ନେତା ଗଣ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଜିଲ୍ଲାର ରମ୍ଭା ଖଲ୍ଲିକୋଟ ଅଞ୍ଚଳରେ ଜନଗହଳି ଓ ମାର୍କେଟ୍ ଗହଳ ଚହଳ ସ୍ଥାନ, ମନ୍ଦିର, ସ୍କୁଲ ପାଖାପାଖି ଅଞ୍ଚଳରେ ବେଆଇନ ଭାବେ ମଦ ଦୋକାନ ଖୋଲିଥିବା ନେଇ କ୍ଷୋଭ ପ୍ରକାଶ ପାଇଛି । ପ୍ରକାଶ ଥାଉକି, ଯେଉଁଠି ମହୁଲି ମଦ ବିକ୍ରି ସ୍ଥାନରେ ଦେଶୀ ମଦ ବିକ୍ରି ହେଉଥିବା ଏକ ସଙ୍ଗୀନ ଅଭିଯୋଗ ହୋଇଛି । ସଂପ୍ରତି ରମ୍ଭା ଅଞ୍ଚଳରେ ମହୁଲି ମଦ ବିକ୍ରି ହେଉଥିବା ସ୍ଥାନରେ ବିଷାକ୍ତ ଦେଶୀ ମଦ ବିକ୍ରି ହେଉଥିବା, ଯାହାକି ଉକ୍ତ ମଦରେ ଏସିଡ ସ୍ପିରିଟ, ବ୍ୟବହାରିକ ସରିଯାଇଥିବା ବ୍ୟାଟେରୀରୁ ରାସାୟନିକ ଗୁଣ୍ଡ ମଦରେ ମିଶ୍ରଣ କରାଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଗାଢ଼ ନିଶାସକ୍ତ ମାଦକ ଦ୍ରବ୍ୟ ଚଢ଼ା ଦରରେ ବିକ୍ରି କରିବା ସହ ଅନେକ ବ୍ୟତି ଏହି ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଥିବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅତୀତରେ ଗଞ୍ଜାମ ଜିଲ୍ଲାରେ ଅନେକ ଥର ବିଷାକ୍ତ ମଦରେ ମଦ ମୃତ୍ୟୁ ଘଟଣା ଘଟିଯାଇଛି । ତେଣୁ ଗଞ୍ଜାମ ଜିଲ୍ଲାରେ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବାକୁ ଆହ୍ୱାନ ଦେଇ ରମ୍ଭା ସହରର ସିପିଆଇ ଶାଖା ସମ୍ମିଳନୀ ତରଫରୁ ଏକ ଶୋଭାଯାତ୍ରାରେ ବାହାରି ବିଦେଶୀ ମଦ କାଉଣ୍ଟର (ଦୋକାନ) ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବଂ ଯୁବଗୋଷ୍ଠୀଙ୍କୁ ଜନ ସଚେତନତା କରିଛନ୍ତି । ଏପରିକି ଖଲ୍ଲିକୋଟ ଅଞ୍ଚଳରେ ଏକ ଚିଲ୍ଲିକା ଡିଷ୍ଟିଲାରୀ ନାମକ ଏକ ମଦ ଫ୍ୟାକ୍ଟ୍ରି ପ୍ରତିଷ୍ଠାନ ଖୋଲାଯିବାକୁ ଜଣେ ବ୍ୟବସାୟୀ ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି କୁହାଯାଏ । ଉକ୍ତ ମଦ ଫ୍ୟାକ୍ଟ୍ରି ପ୍ରତିଷ୍ଠାନ ଖୋଲାଯିବା ପାଇଁ ରମ୍ଭା ଠାରୁ ଋଷିକୂଲ୍ୟା ନଦୀରୁ ପାଣି ନେବା ଉଦ୍ଦେଶ୍ୟରେ ଭୂତଳ ଖନନ କରି ପାଇପ ଲାଇନ୍ରୁ ଜଳ ନେବା ପାଇଁ ଯୋଜନା ଭିତ୍ତିକ ଭାବେ କାର୍ଯ୍ୟ ଚଳାଇଥିବା ବିଷୟରେ ସିପିଆଇ ଅଭିଯୋଗ କରିଛି । ଏ ସଂପର୍କରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଦିଗରେ ଜିଲ୍ଲାପ୍ରଶାସନ ଗୁରୁତର ସହ ଧ୍ୟାନ ଦେଇ ଏହାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନେତା କର୍ମୀ ଦୃଢ଼ଦାବୀ କରିଛନ୍ତି । ଏହି ପ୍ରସ୍ତାବିତ ପ୍ରକଳ୍ପ ବନ୍ଦ କରାନଗଲେ ଆଗାମୀ ଦିନରେ ଛତ୍ରପୁର, ବ୍ରହ୍ମପୁର, ଜିଲ୍ଲାର ରମ୍ଭା, ଖଲ୍ଲିକୋଟ ଅଞ୍ଚଳରେ ପାନୀୟଜଳ ସଙ୍କଟ ଦେଖାଯିବାର ଆଶଙ୍କା ରହିଛି ବୋଲି ସିପିଆଇ ଏହାର ଦୃଢ଼ ବିରୋଧ କରିଛନ୍ତି । ସର୍ବୋପରି ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ ମଦ ମୁକ୍ତ ଅଞ୍ଚଳ ଭାବେ ପରିଣତ କରାଯିବାକୁ ଗଞ୍ଜାମ ଜିଲ୍ଲା ସିପିଆଇ ତରଫରୁ ଦୃଢ଼ ଦାବୀ ହୋଇଛି । ସରକାର ଏ ଦିଗରେ କାର୍ଯ୍ୟ ନ କଲେ ବୃହତ୍ତର ଜନ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ବରିଷ୍ଠ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଏନ୍.ନାରାୟଣ ରେଡ୍ଡୀ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସାଥୀ ନୀଳକଣ୍ଠ ଦାସ, ପ୍ରଦୀପ ସେଠୀ, ବି. ଦଣ୍ଡପାଣି ପାତ୍ର, ପୂର୍ଣ୍ଣ ରଥ, ନାରାୟଣ ନାୟକ, କ୍ଷେତ୍ରବାସୀ ନାୟକ, ସିପିଆଇ ଖଲ୍ଲିକୋଟ ଜୋନାଲ ସମ୍ପାଦକ ଦୁର୍ଗା ଚରଣ ପାତ୍ର, ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୨ ନମ୍ୱର ୱାର୍ଡ଼, କାଉନସିଲର କ୍ଷେତ୍ରମୋହନ ବେହେରା,୧୩ ନମ୍ୱର ୱାର୍ଡ଼ କାଉନସିଲର ଜ୍ୟୋତ୍ସ୍ନାରାଣୀ ବେହେରା, ନାରୀ ନେତ୍ରୀ ତଥା ରାଜ୍ୟ ମହିଳା କମିଟି ସଦସ୍ୟ ଏନ୍. ଭାନୁମତୀ ରେଡ୍ଡୀ ପ୍ରମୁଖ ଏହି ଆନ୍ଦୋଳନ ତଥା ପ୍ରତିବାଦ ସଭାରେ ଅଂଶଗ୍ରହଣ କରି ମଦ ବିରୋଧୀ ଉପରେ ସ୍ୱର ଉଠାଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
Prev Post