jayashree

ଦାରିଙ୍ଗବାଡି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ କରାଯାଇଛି । ଏଥିରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ରଥର ଶୁଭାରମ୍ଭ କରିଥିଲେ । ଏହି କୃଷି ରଥ ଜରିଆରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ନେଇ ଚାଷୀଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏହି ରଥ ଦାରିଙ୍ଗବାଡ଼ି ବ୍ଲକରେ ଥିବା ୨୫ ଗୋଟି ପଞ୍ଚାୟତରେ ବୁଲି ଚାଷୀଙ୍କୁ ସଚେତନ କରିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ କନ୍ଧମାଳ ଜିଲ୍ଲାର ଧାନ, ହଳଦୀ, ମକା, ଅଦା ଭଳି ଶସ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଶସ୍ୟଚାଷ କରିଥିବା ଚାଷୀମାନେ ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ନିଜର ନାମ ପଞ୍ଜିକରଣ କରିପାରିବେ । ଯେଉଁ ଚାଷୀମାନେ ନିଜର ନାମ ପଞ୍ଜିକରଣ କରିଥିବେ ସେହି ଚାଷୀଙ୍କର ଯଦି କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଶସ୍ୟ ନଷ୍ଟ ହୁଏ ତା’ ହେଲେ କ୍ଷତିପୂରଣ ବାବଦକୁ ବୀମା କମ୍ପାନୀ ସମ୍ପୃକ୍ତ ଚାଷୀଙ୍କୁ ସହାୟତା ରାଶି ଯୋଗାଇ ଦେବ । ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ମାଧ୍ୟମରେ ଚାଷୀ ମାନେ ସବସିଡ ଜରିଆରେ ଉନ୍ନତ ମାନର କୃଷି ଯନ୍ତ୍ରପାତି, କୃଷି ଶିଳ୍ପ ନିମନ୍ତେ କୃଷି ଉଦ୍ୟୋଗ କରିପାରିବେ । ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ବୃନ୍ଦାବନ ବେହେରା, ସହକାରୀ କୃଷି ଅଧିକାରୀ କ୍ଷୀତିସ ବିଳାସ ବେହେରା, ସହକାରୀ ଉଦ୍ୟାନ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲିକ, ପ୍ରାଣୀ ଚିକିତ୍ସକ ଚିନ୍ମୟ ସାହୁ, ବିଧାୟକ ପ୍ରତିନିଧି ଦୀପକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.