
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଭୀମ ଭୋଇ ମେଡିକାଲରେ ବହୁପ୍ରତିକ୍ଷୀତ ନିୟୁରୋଲୋଜି, ନେଫ୍ରୋଲୋଜି, ନ୍ୟୁରୋ ସର୍ଜରୀ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗ ଖୋଲିବା ନେଇ ସମସ୍ତ ନିଷ୍ପତ୍ତି ହୋଇ ସାରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି । ତେବେ ଉକ୍ତ ବିଷୟକୁ ନେଇ କୌଣସି ନିର୍ଭର ଯୋଗ୍ୟ ତଥ୍ୟ ମିଳି ପାରିନାହିଁ । ପ୍ରକାଶ ଯେ, ସ୍ୱାସ୍ଥ୍ୟ ସଂପର୍କିତ ବିଭିନ୍ନ ସମସ୍ୟାକୁ ନେଇ ଆଜି ବଲାଙ୍ଗିର ଜିଲ୍ଲା ସିଭିଲ ସୋସାଇଟିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା କରିଥିଲେ । ଏହି ପ୍ରସଙ୍ଗରେ ଆଲୋଚନା ସମୟରେ ଭୀମ ଭୌଇ ମେଡିକାଲରେ ନିୟୁରୋଲୋଜି, ନେଫ୍ରୋଲୋଜି, ନ୍ୟୁରୋ ସର୍ଜରୀ ଓ ପ୍ଲାଷ୍ଟିକ ସର୍ଜରୀ ଆଦି ଖୋଲିବା ପାଇଁ ନିଷ୍ପତ୍ତି ହୋଇସାରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସିଭିଲ ସୋସାଇଟିର ପ୍ରତିନିଧି ମାନଙ୍କୁ କହିଥିଲେ । ବଲାଙ୍ଗିରବାସୀଙ୍କ ଏହି ବହୁ ପ୍ରତିତକ୍ଷିତ ଦାବି ପୂରଣ ଦିଗରେ ହୋଇଥିବା କାମକୁ ପ୍ରତିନିଧୀ ମଣ୍ଡଳି ଧନ୍ୟବାଦ ଅର୍ପଣ କରିଥିଲେ । ତା’ଛଡା ଆଲୋଚନାରେ ଟ୍ରାଫିକ୍ ସମସ୍ୟା ଓ ଆମ୍ବଲେନ୍ସ ଯାତାୟତର ସୁବିଧା ପାଇଁ ଭୀମ ଭୋଇ କଲେଜ ଓ ହସ୍ପିାଟାଲରୁ ଗନ୍ଧରେଲ ରାସ୍ତା ଦେଇ ରିଙ୍ଗ୍ ରୋଡ ଓ ବାଇପାସ୍ ରାସ୍ତାକୁ ସଂଯୋଗ କରିବା ପାଇଁ ଏକ ନୂତନ ରାସ୍ତା ନିର୍ମାଣ ନିମନ୍ତେ ବିହିତ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା ସିଭିଲ ସୋସାଇଟି ପ୍ରକାଶ କରିଛି । ଏହି ପ୍ରତିନିଧି ମଣ୍ଡଳୀରେ ବଲାଙ୍ଗିର ଜିଲ୍ଲା ସିଭିଲ ସୋସାଇଟିର ଆବାହକ ଇଂ. ବେଲାରସିଂ ଭୋଇ, ସଂଯୋଜକ ମନୋରଂଜନ ସାହୁ, ସଭ୍ୟ ମନୋରଂଜନ ମିଶ୍ର, ଦିବାକର ହୋତା, ରଘୁ ନନ୍ଦନ ସିଂହ, ସୁବୋଧ ନାଗ, ଦୁର୍ବାଦଳ ମହାକୁର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।