jayashree

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ : ୪ କୁଖ୍ୟାତ ଅପରାଧି ଗିରଫ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଚୋରା ଗଞ୍ଜେଇ ଚାଲାଣ ବିରୋଧରେ ପୁଲିସର ଅଭିଯାନକୁ ମିଳିଛି ବଡ଼ ସଫଳତା । ବିଶ୍ୱସ୍ତ ସୂଚନା ଆଧାରରେ ବାଲିଗୁଡ଼ା ପୁଲିସ ଚଢ଼ାଉ କରି ୧୦୦ କିଲୋ ୩୦୦ ଗ୍ରାମ ଗଞ୍ଜେଇ, ୨ଟି ଦେଶୀ ନିର୍ମିତ ଏସବିଏମଏଲ ବନ୍ଧୁକ ଏବଂ ଏଥିସହ ଚୋରା ଗଞ୍ଜେଇ ପରିବହନରେ ବ୍ୟବହୃତ ହେଉଥିବା ସନ୍ଦେହରେ ଓଡି -୦୨- ଏଏକ୍ସ -୧୦୮୬ ନମ୍ବର ବିଶିଷ୍ଟ ଧଳା ରଙ୍ଗର ହୋଣ୍ଡା ସି-ଆର-ଭି ଗାଡ଼ି ଜବତ କରିଛି । ଏହି ଘଟଣାରେ ୪ ଜଣ ଅଭିଯୁକ୍ତ ତୁମୁଡିବନ୍ଧ ଥାନା ଶଗଡି ସାହିର ରିଚାର୍ଡ ନାୟକ (୨୮), ଲୁହାରାସାହିର ସଚିନ ନାୟକ (୩୧), ଦାରିଙ୍ଗବାଡି ଥାନା ସିମନବାଡି କେ. ଶିବ ପ୍ରସାଦ ଆଚାର୍ଯ୍ୟ (୨୮) ଏବଂ ବାଲିଗୁଡା ଥାନା କିଲୁଗାଁର ବିନୋଦ ପୂଜାରୀ (୩୨)ଙ୍କୁ ପୁଲିସ ଗିରଫ କରି ବାଲିଗୁଡ଼ା ଥାନା କେସ୍ ନଂ- ୨୩୧/୨୬ ଅନୁଯାୟୀ ଏନଡିପିଏସ ଆଇନର ଧାରା ୨୦(ବି )(ii)(ସି) ସହ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫(୧-ବି)(ଏ) ଅନୁସାରେ ମାମଲା ରୁଜୁ ହୋଇଛି । ପୁଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ମାନଙ୍କ ବିରୋଧରେ ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନାରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ରୁଜୁ ହୋଇଥିବା ରେକର୍ଡ ରହିଛି । ସେଗୁଡ଼ିକ ମଧ୍ୟରେ ବାଲିଗୁଡ଼ା ଥାନା କେସ୍ ନଂ-୨୨/୨୦୨୩, ୧୯୬/୨୦୨୫, ୪୮/୨୦୧୭ ଓ ୨୦୪/୨୦୨୬ ଏବଂ ତୁମୁଡ଼ିବନ୍ଧ ଥାନା କେସ୍ ନଂ-୨୯/ ୨୦୨୧, ୧୧/୨୦୨୩, ୩୦/୨୦୨୪ ଓ ୦୯/୨୦୨୫ ରହିଛି । ଗଞ୍ଜେଇର ଉତ୍ସ, ଏହାର ଚୋରାଚାଲାଣ ପଛରେ ଥିବା ନେଟୱାର୍କ ଏବଂ ଅବୈଧ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି । ଏହି ଚୋରାଚାଲାଣରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ତାହା ନେଇ ମଧ୍ୟ ତଦନ୍ତ ଚାଲିଥିବା ବିଷୟ ବାଲିଗୁଡା ଏସ୍‌ଡିପିଓ ଶୁଭମ ଭୋସଲେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.