
- ଏଣିକି ଅପରେସନ୍ ଥିଏଟର କାର୍ଯ୍ୟକ୍ଷମ ହେବାରେ ମିଳିବ ସୁବିଧା
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଅଞ୍ଚଳବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କଣ୍ଟାବାଞ୍ଜି ସ୍ୱାସ୍ଥ୍ୟକେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ଆନେସ୍ଥେସିଆ ଯନ୍ତ୍ର ଯୋଗାଇ ଦିଆଯାଇଛି । ଏହା ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଆନେସ୍ଥେସିଆ ସେବା ଯୋଗାଇବା ସହିତ ଅପରେସନ୍ ଥିଏଟରକୁ କାର୍ଯ୍ୟକ୍ଷମ କରିବାର ରାସ୍ତା ସୁଗମ ହୋଇଛି । ସୂଚନା ଥାଉ ଯେ, ୨୦୨୧ ମସିହାରୁ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟକେନ୍ଦ୍ରରେ ଅପରେସନ୍ ସେବା ବନ୍ଦ ରହିଥିଲା । ଆବଶ୍ୟକ ଯନ୍ତ୍ର ଉପଲବ୍ଧ ହେବା ପରେ ଏବେ ଅପରେସନ୍ ଥିଏଟର ଚାଲୁ କରିବା ଦିଗରେ ଆଉ ଏକ ପଦକ୍ଷେପ ଆଗକୁ ବଢ଼ିଛି । ଏହା ଦ୍ୱାରା ଅପରେସନ୍ ପାଇଁ ରୋଗୀଙ୍କୁ ଅନ୍ୟ ସ୍ଥାନକୁ ପଠାଇବାର ଆବଶ୍ୟକତା କମିବା ସହ ଅଞ୍ଚଳବାସୀଙ୍କୁ ନିଜ ଅଞ୍ଚଳରେ ଆବଶ୍ୟକ ଚିକିତ୍ସା ସେବା ମିଳିବ ବୋଲି ଆଶା କରାଯାଉଛି । ଏହି ଅବସରରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ କୋଠା ଓ ବ୍ୟବସ୍ଥାର ଉଦ୍ଘାଟନ କରିଥିଲେ । ତାଙ୍କ ସହ ଓଡ଼ିଶା ରାଜ୍ୟ ବିଜେପି ଉପସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ଉପମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଧା ବାର୍ଲା, ଇଂଚାର୍ଜ ରାକେଶ ପଣ୍ଡିତ, ଡ଼ଃ ପଣ୍ଡା, ଡ଼ଃ ଇସ୍ପିତା ବେହେରା, ଡ଼ଃ ହୃଷିକେଶ ମେହେରଙ୍କ ସମେତ ବିଜେପିର ବରିଷ୍ଠ ନେତା ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ପୁଣି କଣ୍ଟାବାଞ୍ଜି ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ନୂଆ ସୁବିଧା ଯୋଗ ହେବା ଅପରେସନ୍ ଥିଏଟରକୁ କାର୍ଯ୍ୟକ୍ଷମ କରିବା ଏବଂ ଅଞ୍ଚଳବାସୀଙ୍କୁ ଉନ୍ନତ ଚିକିତ୍ସା ସେବା ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । ଦୀର୍ଘଦିନ ପରେ ଏବେ ଆବଶ୍ୟକ ଆନେସ୍ଥେସିଆ ଯନ୍ତ୍ର ଯୋଗାଇ ଦିଆଯାଇଥିବାରୁ ଅପରେସନ୍ ଥିଏଟର ପୁଣି କାର୍ଯ୍ୟକ୍ଷମ ହେବାର ଆଶା ସୃଷ୍ଟି ହୋଇଛି । ଏହା ଫଳରେ କଣ୍ଟାବାଞ୍ଜିରେ ନିୟମିତ ଭାବେ ଅପରେସନ୍ ସେବା ଯୋଗାଇ ଦିଆଯାଇପାରିବ ଏବଂ ଅଞ୍ଚଳବାସୀଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ଯିବାର ଅସୁବିଧା କମିବ ବୋଲି ଆଶା କରାଯାଉଛି ।