jayashree

ମୟୂରଭଞ୍ଜରେ ବେକାରୀ ଦୂର ପାଇଁ ମନ୍ତ୍ରୀଙ୍କ ନିଆରା ପଦକ୍ଷେପ : ଗରିବ ଯୁବକଙ୍କୁ ଜଳଖିଆ କେବିନ୍ ବଣ୍ଟନ, ସ୍ୱାବଲମ୍ବୀ ହେବାର ଦେଖାଇଲେ ବାଟ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଅଭାବ ଆଉ ଅସହାୟତା ଭିତରେ ଜୀବନ ବିତାଉଥିବା ଗରିବ ପରିବାରର ଯୁବକଯୁବତୀଙ୍କ ପାଇଁ ଆଶାର ନୂଆ କିରଣ । ହାତକୁ କାମ ନାହିଁ, ପରିବାର ଚଳାଇବାକୁ ଚିନ୍ତା। ଜୀବିକା ପାଇଁ ଅନେକେ ନିଜ ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଏଭଳି ସ୍ଥିତିରେ ଯୁବକଯୁବତୀଙ୍କୁ ନିଜ ଅଞ୍ଚଳରେ ରୋଜଗାରର ସୁଯୋଗ ଯୋଗାଇଦେବା ସହ ଆତ୍ମନିର୍ଭରଶୀଳ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ମୟୂରଭଞ୍ଜ ଜିଲ୍ଲାରେ ବେକାରୀ ସମସ୍ୟା ଦୂର କରିବା ଏବଂ ଗରିବ ତଥା ଅସହାୟ ପରିବାରର ଯୁବକଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ମନ୍ତ୍ରୀଙ୍କ ପକ୍ଷରୁ ଜଳଖିଆ ଓ ଫାଷ୍ଟଫୁଡ୍ କେବିନ୍ ପ୍ରଦାନ କରାଯାଇଛି । କେବଳ କେବିନ୍ ନୁହେଁ, ବ୍ୟବସାୟ ଆରମ୍ଭ କରିବା ପାଇଁ ଆବଶ୍ୟକ ରୋଷେଇ ସାମଗ୍ରୀ ଓ ବାସନକୁସନ ମଧ୍ୟ ଯୋଗାଇ ଦିଆଯାଇଛି । ଏହାଦ୍ୱାରା ହିତାଧିକାରୀମାନେ ନିଜେ ରୋଜଗାର କରିବା ସହ ପରିବାରର ଗୁଜୁରାଣ ମେଣ୍ଟାଇ ପାରିବେ ବୋଲି ଆଶା ରଖାଯାଇଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଯେଉଁ ଯୁବକଯୁବତୀଙ୍କର ପିତାମାତା ନାହାନ୍ତି କିମ୍ବା ଅତ୍ୟନ୍ତ ଗରିବ ପରିବାରରୁ ଆସିଛନ୍ତି ଏବଂ ଜୀବିକା ନିର୍ବାହ ପାଇଁ ରୋଜଗାରର ଜରୁରୀ ଆବଶ୍ୟକତା ରହିଛି, ସେମାନଙ୍କୁ ଚିହ୍ନଟ କରି ଏହି ସହାୟତା ଦିଆଯାଉଛି । ଏଥିରୁ ସେମାନେ ଅଣ୍ଡା ଅମଲେଟ୍, ତେଲଭାଜି, ଘୁଗୁନି ଓ ବିଭିନ୍ନ ପ୍ରକାରର ଜଳଖିଆ ବିକ୍ରି କରି ନିଜର ଜୀବିକା ନିଜେ ନିର୍ବାହ କରିପାରିବେ । ମୟୂରଭଞ୍ଜ ଜିଲ୍ଲାରେ ଆଜି ପ୍ରଥମ ପର୍ଯ୍ୟାୟରେ ମୋଟ ୫ ଜଣ ହିତାଧିକାରୀଙ୍କୁ ଏହି ଜଳଖିଆ କେବିନ୍ ପ୍ରଦାନ କରାଯାଇଛି । ମୋରଡ଼ା ବିଧାନସଭା କ୍ଷେତ୍ରରୁ ୨ ଜଣ, ବାରିପଦା ବିଧାନସଭା କ୍ଷେତ୍ରରୁ ୨ ଜଣ ଏବଂ ବେତନଟୀ ବିଧାନସଭା କ୍ଷେତ୍ରରୁ ଜଣେ ହିତାଧିକାରୀ ଏହି ସହାୟତା ପାଇଛନ୍ତି । ଆଗାମୀ ଦିନରେ ଆହୁରି ଅଧିକ କେବିନ୍ ଯୋଗାଇ ଅନ୍ୟ ଆବଶ୍ୟକୀୟ ଯୁବକଯୁବତୀଙ୍କୁ ମଧ୍ୟ ସ୍ୱାବଲମ୍ବୀ କରିବାକୁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ, କେବିନ୍ ପାଇଥିବା ହିତାଧିକାରୀମାନେ ମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ସେମାନେ ରାସ୍ତାକଡ଼ରେ ଉଠାଦୋକାନ କରି ଜୀବିକା ନିର୍ବାହ କରୁଥିଲେ । ମନ୍ତ୍ରୀ ରାସ୍ତାରେ ଯିବା ସମୟରେ ସେମାନଙ୍କ ଦୋକାନ ପାଖରେ ଅଟକି ସମସ୍ୟା ବୁଝିଥିଲେ ଏବଂ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ଏବେ ସେହି ପ୍ରତିଶୃତି ପୂରଣ କରି ସେମାନଙ୍କୁ ଡାକି ଜଳଖିଆ କେବିନ୍ ହସ୍ତାନ୍ତର କରିଛନ୍ତି । ହିତାଧିକାରୀଙ୍କ କହିବା କଥା, ଏହି କେବିନ୍ ସେମାନଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବା ସହ ପରିବାର ଚଳାଇବାରେ ବେଶ୍ ସହାୟକ ହେବ । ଏଥିପାଇଁ ସେମାନେ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁଯାୟୀ, ଗରିବ ଓ ଆବଶ୍ୟକତାରେ ଥିବା ଯୁବକଯୁବତୀଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ରୋଜଗାରକ୍ଷମ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆବଶ୍ୟକତା ଥିବା ଯୁବକମାନଙ୍କୁ ଆଉଟ୍‌ସୋର୍ସିଂ କ୍ଷେତ୍ରରେ ମଧ୍ୟ ସୁଯୋଗ ଦେବାକୁ ଉଦ୍ୟମ କରାଯାଉଛି । ଦାଦନ ଖଟିବାକୁ ବାହାରକୁ ନଯାଇ ନିଜ ଅଞ୍ଚଳରେ ରହି ରୋଜଗାର କରିବା ସହ ଆତ୍ମନିର୍ଭରଶୀଳ ହେବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇଛନ୍ତି ।

Leave A Reply

Your email address will not be published.