jayashree

ବାତ୍ୟା ଓ ଲଗାଣ ବର୍ଷା ସତ୍ତ୍ୱେ ଡାଙ୍ଗ ଗ୍ରାମରେ ରକ୍ତଦାନ ଶିବିର, ୭ ମହିଳାଙ୍କ ସମେତ ୩୫ ଜଣଙ୍କ ରକ୍ତଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ଗଜଲକ୍ଷ୍ମୀ ପୂଜା ଅବସରରେ ସ୍ୱର୍ଗତ ତ୍ରିଲୋଚନ ବାଗଙ୍କ ସ୍ମୃତିରେ ବରଡୋଳ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗ ଗ୍ରାମରେ ଆଜି ସଂକଳ୍ପ ପରିବାର ଓ ଗଜଲକ୍ଷ୍ମୀ ପୂଜା କମିଟିର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ସାରା ଓଡ଼ିଶାରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ରହିଥିବା ବେଳେ ବରଗଡ଼ ଜିଲ୍ଲାରେ ଗତ ରାତିରୁ ଲଗାଣ ବର୍ଷା ଜାରି ରହିଥିଲା । ଏଭଳି ପ୍ରତିକୂଳ ପାଗ ସତ୍ତ୍ୱେ ବରଗଡ଼ ରକ୍ତ ଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ଶିବିରରେ ୭ ଜଣ ମହିଳାଙ୍କ ସମେତ ମୋଟ ୩୫ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ମାନବିକତାର ଉଦାହରଣ ସୃଷ୍ଟି କରିଥିଲେ । ଏହି ରକ୍ତଦାନ ଶିବିରକୁ ବରଗଡ଼ର ପୂର୍ବତନ ବିଧାୟକ ଶ୍ରୀ ସାଧୁ ନେପାକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହା ସହିତ ସେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନର ମହତ୍ତ୍ୱ ଓ ଜରୁରୀ ଆବଶ୍ୟକତା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଶିବିରର ଅନ୍ୟ ଏକ ଉଲ୍ଲେଖନୀୟ ଦିଗ ହେଉଛି, ଅନେକ ରକ୍ତଦାତା ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ । ଏହା ଯୁବପିଢ଼ିଙ୍କ ମଧ୍ୟରେ ରକ୍ତଦାନ ପ୍ରତି ବଢ଼ୁଥିବା ଆଗ୍ରହ ଓ ସାମାଜିକ ଦାୟିତ୍ୱବୋଧର ଏକ ସକାରାତ୍ମକ ସଙ୍କେତ । ରକ୍ତଦାନ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚା ଯାଇ ପାରୁଥିବାରୁ ଏଭଳି ଉଦ୍ୟମ ଜନସାଧାରଣଙ୍କ ମଧ୍ୟରେ ସେବା, ସହଯୋଗ ଓ ମାନବିକତାର ଭାବନାକୁ ଆହୁରି ସୁଦୃଢ଼ କରିଥାଏ । ଏହି ଅବସରରେ ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ସାହିଲ ଥପା, ସମ୍ପାଦକ ହେମନ୍ତ ବାଗ ଓ କୋଷାଧ୍ୟକ୍ଷ ମନୋଜ ମାଝୀଙ୍କ ସମେତ କମିଟିର ଅନେକ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ । ସେହିପରି ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ସୁରେନ୍ଦ୍ର ଭୁଏ, ଦେବାଶିଷ ଡାଙ୍ଗ, ଆକାଶ ପାଣ୍ଡେ ଓ ରଞ୍ଜିତ ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିରର ସୁପରିଚାଳନାରେ ସହଯୋଗ କରିଥିଲେ । ଏଭଳି ପ୍ରତିକୂଳ ପାଗରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ସଂକଳ୍ପ ପରିବାର ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.