jayashree

ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଘନ ସଂଶୋଧନ କାର୍ଯ୍ୟକ୍ରମ

  • ସଫଳତା ପାଇଁ ସହଯୋଗ ଲୋଡିଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାରେ ସଫଳ କରିବା ପାଇଁ ଶୁକ୍ରବାର ଦିନ ଜିଲ୍ଲାପାଳ ଡ. ନୃପରାଜ ସାହୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ସେ ଏହି ଅବସରରେ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଏସ୍‌ଆଇଆର୍‌ର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସମସ୍ତ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ସହ ନକଲି, ସ୍ଥାନାନ୍ତରିତ ଓ ଅଯୋଗ୍ୟ ନାମଗୁଡିକୁ ଅପସାରଣ କରିବା । ମତଦାତାଙ୍କର ତଥ୍ୟରେ ଆବଶ୍ୟକ ସଂଶୋଧନ ଓ ସଠିକ୍ ଏବଂ ନିର୍ଭୁଲ ଭୋଟର ତାଲିକା ମାଧ୍ୟମରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ସୁଦୃଢ କରିବା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ସାଧାରଣ ଜନତାଙ୍କର ସହଯୋଗ ଓ ସମର୍ଥନ କାମନା କରୁଛି । ଜିଲ୍ଲା ପ୍ରଶାସନଙ୍କର ନାଗରିକମାନଙ୍କ ପାଖରେ ଏକମାତ୍ର ଅନୁରୋଧ ହେଉଛି, ସେମାନେ ବିଏଲ୍ଓମାନଙ୍କ ସହ ସକ୍ରିୟ ଭାବେ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସହଭାଗୀ ହେବେ । ଘରେ ଘରେ ଯାଇ ଯାଞ୍ଚ କାର୍ଯ୍ୟ କରୁଥିବା ବିଏଲ୍ଓମାନଙ୍କୁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରାଯାଉଛି । ଜନସାଧାରଣଙ୍କ ସୁବିଧା ପାଇଁ କଲେକ୍ଟର କାର୍ଯ୍ୟାଳୟ ଏବଂ ସମସ୍ତ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ହେଲ୍ପଡେସ୍କ ବ୍ୟବସ୍ଥା କରାଯାଇଛି । ଏହା ସହିତ ଭୋଟର ତାଲିକା ସମ୍ବନ୍ଧୀୟ ଯେକୌଣସି ସହାୟତା ପାଇଁ ଟୋଲ୍ ଫ୍ରି ନମ୍ବର ୧୯୫୦ରେ ସମ୍ପର୍କ କରାଯାଇପାରିବ । ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୨ ଗୋଟି ବିଧାନସଭା ମଣ୍ଡଳୀ ସୋନପୁର ଓ ବୀରମହାରାଜପୁର ଥିବାବେଳେ ଜିଲ୍ଲାରେ ମୋଟ ୫୮୬ଟି ବୁଥ୍ ରହିଛି । ପ୍ରତ୍ୟେକ ବୁଥ୍ ପାଇଁ ଜଣେ ବିଏଲ୍ଓ ନିଯୁକ୍ତ ଅଛନ୍ତି ଏବଂ ପ୍ରତ୍ୟେକ ୧୦ ଗୋଟି ବୁଥ୍ ପାଇଁ ଜଣେ ବିଏଲ୍ଓ ସୁପରଭାଇଜର ନିଯୁକ୍ତ ହୋଇଛନ୍ତି । ଏହା ସହିତ ପ୍ରତ୍ୟେକ ବୁଥ୍ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱେଚ୍ଛାସେବୀ ନିଯୁକ୍ତ କରାଯାଇଛି । ରାଜନୈତିକ ଦଳମାନଙ୍କ ପକ୍ଷରୁ ମଧ୍ୟ ବୁଥ ଲେବେଲ ଆଜେଣ୍ଟ (ବିଏଲ୍ଏ) ନିଯୁକ୍ତ ହୋଇ ସମଗ୍ର ପ୍ରକ୍ରିୟାରେ ସହଯୋଗ କରୁଛନ୍ତି । ଏହା ୩୦ ମେ’ ୨୦୨୬ ରୁ ୨୮ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଚାଲିବ । ୫ ଜୁଲାଇ ୨୦୨୬ରେ ଚିଠା ନିର୍ବାଚନ ତାଲିକା ପ୍ରକାଶ ପାଇବ । ୫ ଜୁଲାଇ ୨୦୨୬ରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ । ସେହିପରି ୫ ଜୁଲାଇ ୨୦୨୬ରୁ ୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ କରାଯିବ ଏବଂ ୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ନିର୍ବାଚନ ତାଲିକା ପ୍ରକାଶ ପାଇବ । ସ୍ୱଚ୍ଛ, ନିର୍ଭୁଲ ଓ ଅଂଶଗ୍ରହଣ ମୂଳକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ପ୍ରତିବଦ୍ଧ ବୋଲି ସୂଚନା ଦିଆଯାଇଥିଲା । ଏହି ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ସୋନପୁର ଉପ ଜିଲ୍ଲାପାଳ ଡ ସୌମ୍ୟାରୂପା ରଥ, ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ଡିଆଇପିଆରଓ ପ୍ରିତୀ ସୁନା ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.