
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ହୀରାପୁର ପଞ୍ଚାୟତ ସମ୍ପ୍ରତି ଯୁଗାନ୍ତକାରୀ ପ୍ରଗତି ପଥରେ ଆଗେଇ ଚାଲିଛି । ଏଠାରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ଦୃତଗତିରେ ଚାଲିଛି । ଏହି ସବୁ ପ୍ରକଳ୍ପ ଫଳପ୍ରସୂ ହେଲେ ଅଞ୍ଚଳର ଶତାଧିକ ଯୁବକ ଯୁବତୀ ଆତ୍ମ ନିର୍ଭରଶୀଳ ହୋଇପାରିବା ସହିତ ସ୍ଥାନୀୟ ଲୋକେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଜଣାପଡ଼ିଛି । ତେବେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ପ୍ରରୋଚନା କ୍ରମେ ଏକ ନିର୍ଦ୍ଧିଷ୍ଠ ଗୋଷ୍ଠୀ ଏଭଳି ଉନ୍ନୟନ ମୂଳକ କାର୍ଯ୍ୟକୁ ପ୍ରକାରାନ୍ତରେ ବିରୋଧ କରିବା ସହିତ ବିଭିନ୍ନ ଗଣମାଧ୍ୟମ ଜରିଆରେ ନକାରାତ୍ମକ ଖବର ପରିବେଷଣ କରିବାରେ ଲାଗି ପଡିଛନ୍ତି । ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଲୋଇସିଂହା ସଦର ମହକୁମା ଠାରୁ ମାତ୍ର ୩ କି.ମି. ଦୂରରେ ଜାତୀୟ ରାଜପଥ ନଂ ୨୬ ଠାରେ ସ୍ଥିତ ହୀରାପୁର ଛକ ନିକଟରେ ଆଗାମୀ ଦିନରେ ଏକ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସମଗ୍ର ଜିଲ୍ଲା ପାଇଁ ଏହା ଏକ ଗର୍ବର ବିଷୟ ଅଟେ । ଏହି ବୈଷୟିକ ମହାବିଦ୍ୟାଳୟକୁ ଆଖି ଆଗରେ ରଖି ନିକଟସ୍ଥ ମାଣ୍ଡିଆପଦର ଗ୍ରାମରେ ଏକ ପାର୍କ ନିର୍ମାଣ କାର୍ଯ୍ୟ ଚାଲିଛି । ଏଥିସହିତ ପାର୍କ ନିକଟରେ ଏକ କଲ୍ୟାଣ ମଣ୍ଡପ ଏବଂ ଷ୍ଟାଡିଅମ ରହିଥିବା ବେଳେ ସାଧାରଣ ଲୋକେ ଏହାଦ୍ୱାରା ଉପକୃତ ହେଉଛନ୍ତି । ପ୍ରତିବର୍ଷ ଏଠାରେ କ୍ରିକେଟ, ଫୁଟବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଆଗାମୀ ଦିନରେ ଏହି ଷ୍ଟାଡିୟମକୁ ପ୍ରସ୍ତାବିତ ବୈଷୟିକ କଲେଜର ଛାତ୍ରଛାତ୍ରୀ ମଧ୍ୟ ବ୍ୟବହାର କରିବେ । ଏଥିସହିତ ଜାତୀୟ ରାଜପଥ ହୀରାପୁର ଛକଠାରୁ ଯୋଗୀସର୍ଡ଼ା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ନୂତନ ରାସ୍ତା ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ସରିଛି । ଏହାଦ୍ୱାରା ବଲାଙ୍ଗିରରୁ ସୋନପୁରକୁ ଏକ ନୂତନ ରାସ୍ତା ସଂଲଗ୍ନ ହେବା ଫଳରେ ଅଂଚଳର ପରିବହନ ଓ ଗମନାଗମନ, ସାମାଜିକ ତଥା ଅର୍ଥନୈତିକ ଓ ବାଣିଜ୍ୟ କାରବାର ପାଇଁ ନୂତନ ଆଶା ସଂଚାର ହେବାକୁ ଯାଉଛି । ଲୋଇସିଂହା ଅଞ୍ଚଳରେ ଏଭଳି ଉନ୍ନୟନ ମୂଳକ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ କିଛି ଲୋକଙ୍କ ପାଇଁ ଏହା ଚକ୍ଷୁଶୀଳ ହୋଇପଡ଼ିଛି । ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ଅନ୍ୟ ନିର୍ବାଚନ ମଣ୍ଡଳୀର କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବିଭିନ୍ନ ଗଣମାଧ୍ୟମ ଜରିଆରେ ବିଭ୍ରାନ୍ତକର ଲେଖା ପ୍ରକାଶ କରୁଛନ୍ତି, ଯାହାକୁ ଲୋଇସିଂହାର ବୁଦ୍ଧିଜୀବୀ ତଥା ସାଧାରଣ ଲୋକେ ନାପସନ୍ଦ କରୁଛନ୍ତି । ଏଭଳି କୁଚକ୍ରି ଲୋକଙ୍କ ଯୋଗୁଁ ପୂର୍ବରୁ ଲୋଇସିଂହାରୁ କେନ୍ଦ୍ରୀୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, କୃଷି ଗବେଷଣାଗାର ଭଳି ପ୍ରକଳ୍ପ ଅନ୍ୟତ୍ର ଚାଲିଯାଇଛି । ଏପରିକି ରାଜାରାଜୁଡ଼ା ଅମଳର ଲୋଇସିଂହା ସ୍ଥିତ ନାରାୟଣ ସାଗରର ପାରିପାର୍ଶ୍ବିକ ଉନ୍ନତିକରଣ ପାଇଁ କିଛି ବର୍ଷ ତଳେ ଆସିଥିବା ପ୍ରାୟ ୩୭ କୋଟିରୁ ଅଧିକ ଅନୁଦାନ ଫେରି ଯାଇଥିବା ଜଣାଯାଇଛି । ଏଥିସହିତ ଲୋଇସିଂହା ଠାରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ ତଥା ଲୋୟେର ସୁକତେଲ କେନାଲ ଡିଭିଜନ କାର୍ଯ୍ୟାଳୟ ମଧ୍ୟ ବନ୍ଦ ହେବାକୁ ବସିଛି । ଏଭଳି ସ୍ଥିତିରେ ସ୍ଥାନୀୟ ସାମୂହିକ ସ୍ୱାର୍ଥକୁ ଆଖି ବୁଜି ଦେଇ କାହା ସ୍ୱାର୍ଥରେ ଉନ୍ନୟନ କାର୍ଯ୍ୟକୁ ବିରୋଧ କରାଯାଉଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।