
- ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା
ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ସରକାରଙ୍କ ତରଫରୁ ରକ୍ଷା ବନ୍ଧନର ଭେଟି ସ୍ଵରୂପ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ସର୍ବବୃହତ ମହିଳା କଲ୍ୟାଣକାରୀ ଯୋଜନା ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଟଙ୍କା ସିଧାସଳଖ ଭାବେ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପ୍ରେରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଉରକେଲା ମହାନଗର ନିଗମ ତରଫରୁ ସ୍ଥାନୀୟ ଉଦିତନଗର ସ୍ଥିତ ଆମ ପାଠାଗାର ପରିସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଧାୟକ ରଘୁନାଥପାଲି ଦୁର୍ଗା ଚରଣ ତନ୍ତୀ ଓ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନାରୀ ସଶକ୍ତିକରଣର ଅଭିଯାନକୁ ସାକାର କରିଥିବା ସୁଭଦ୍ରା ଯୋଜନା ଆଜି ନାରୀ ସମାଜକୁ ନୂତନ ଶକ୍ତି ଦେବା ସହ ସେମାନଙ୍କୁ ଉଦ୍ୟୋଗୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ତରୁଣ କାନ୍ତ, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକଙ୍କ ସହ ତିନୋଟି ସମନ୍ଵିତ ଶିଶୁ ବିକାଶ ଯୋଜନାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଆର୍ଏମ୍ସି କର୍ମଚାରୀ ଓ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ଏସ୍ଏଚ୍ଜି ମହିଳା ଓ ସୁଭଦ୍ରା ଯୋଜନାର ହିତାଧିକାରୀମାନେ ଉପସ୍ଥିତ ଥିଲେ ।