
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମରେ ନବନିର୍ମିତ ମୁଖ୍ୟ ତୋରଣ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି । ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ତୋରଣକୁ ଉଦ୍ଘାଟନ କରିଥିଲେ । ତୋରଣ ନିର୍ମାଣ ହେବା ଫଳରେ ଗ୍ରାମର ପ୍ରବେଶପଥ ଅଧିକ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପାଇକମାଲ ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଗ୍ରାମର ବିକାଶ ଓ ସୌନ୍ଦର୍ଯ୍ୟିକରଣ ଦିଗରେ ଏଭଳି ପଦକ୍ଷେପ ଗ୍ରାମବାସୀଙ୍କ ମଧ୍ୟରେ ଏକତା ଓ ସାମୂହିକ ଉଦ୍ୟମକୁ ଆହୁରି ମଜବୁତ କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସୂଚନା ଅନୁସାରେ, ଏହି ମୁଖ୍ୟ ତୋରଣଟି ୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନିର୍ମାଣ କରାଯାଇଛି । ତୋରଣ ନିର୍ମାଣ ଦ୍ୱାରା ବୁକୁରାମୁଣ୍ଡା ଗ୍ରାମର ପରିଚୟ ଆହୁରି ସ୍ପଷ୍ଟ ହେବା ସହ ଗ୍ରାମର ପ୍ରବେଶପଥର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଛି । ଆଗାମୀ ଦିନରେ ଗ୍ରାମର ଅନ୍ୟାନ୍ୟ ମୌଳିକ ସମସ୍ୟାର ସମାଧାନ ଓ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେବା ପାଇଁ ଗ୍ରାମବାସୀ ଅତିଥି ମାନଙ୍କ ନିକଟରେ ଆଶା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସରପଞ୍ଚ ଅନୀତା ଭୋଇଙ୍କ ସମେତ ଦିଲ୍ଲୀପ ବେହେରା, ସରୋଜ ସାମଲ, କୈଳାସ ଦିଶ୍ରୀ, ପରମାନନ୍ଦ ଭୋଇ ଓ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ । ନବନିର୍ମିତ ତୋରଣ ଉଦ୍ଘାଟନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା ।