jayashree

ରାଉରକେଲା କଲେଜରେ ‘ସୁନ୍ଦରଗଡ଼ର ଆଦିବାସୀ ସଂସ୍କୃତି ଓ ସମୁଦାୟ ଜୀବନର ଏକ ଅନ୍ୱେଷଣ’ ଶୀର୍ଷକ ସେମିନାର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ, ରାଉରକେଲାର ଇତିହାସ ବିଭାଗ ପକ୍ଷରୁ “ଆନ ଏକ୍ସପ୍ଲୋରେସନ ଅନ ଟ୍ରାଇବାଲ କଲଚର ଆଣ୍ଡ କମୁନିଟି ଲାଇଫ ଇନ୍ ସୁନ୍ଦରଗଡ ” ଶୀର୍ଷକ ଏକ ଶିକ୍ଷାମୂଳକ ସେମିନାର ଆୟୋଜିତ ହୋଇଯାଇଛି । ସୁନ୍ଦରଗଡ଼ ଅଞ୍ଚଳର ଆଦିବାସୀ ସମୁଦାୟର ସମୃଦ୍ଧ ସଂସ୍କୃତି, ପରମ୍ପରା, ଜୀବନଶୈଳୀ ଓ ସାମୁଦାୟିକ ଜୀବନଧାରାକୁ ଅନୁଧ୍ୟାନ କରିବା ଏହି ସେମିନାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରି ଇତିହାସ ବିଭାଗର ଅତିଥି ଅଧ୍ୟାପିକା ସ୍ୱାତିସ୍ମିତା ସାହୁ ସୁନ୍ଦରଗଡ଼ର ଆଦିବାସୀ ସଂସ୍କୃତିର ବିବିଧତା ଓ ଏହାର ଐତିହାସିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଇତିହାସ ବିଭାଗର ମୁଖ୍ୟ ପ୍ରଫେସର ତରଣୀ ନାୟକ ମଞ୍ଚାସୀନ ଅତିଥି ଓ ବକ୍ତାମାନଙ୍କୁ ସ୍ୱାଗତ ଜଣାଇବା ସହ ସେମିନାରର ଉଦ୍ଦେଶ୍ୟ ଓ ବିଷୟର ପ୍ରାସଙ୍ଗିକତା ସମ୍ପର୍କରେ ନିଜର ମତ ରଖିଥିଲେ । ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ନିଜର ଅଭିଭାଷଣରେ ଆଦିବାସୀ ସମାଜର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଓ ସଂରକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଯୁବପିଢ଼ି ନିଜ ଅଞ୍ଚଳର ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ସଚେତନ ହେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ । ସେମିନାରର ପ୍ରଥମ ଏକାଡେମିକ୍ ଅଭିଭାଷଣ ପ୍ରଦାନ କରି ରାଉରକେଲା କଲେଜ, ରାଉରକେଲାର ପୂର୍ବତନ ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ଭୂୟାଁ ଜନଜାତିର ସଂସ୍କୃତି, ପରମ୍ପରା, ସାମାଜିକ ଜୀବନ ଓ ଜୀବନଶୈଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ଭୂୟାଁ ସମୁଦାୟର ସାଂସ୍କୃତିକ ପରିଚୟ, ପାରମ୍ପରିକ ରୀତିନୀତି ଓ ସାମୁଦାୟିକ ଜୀବନଧାରାର ବିଭିନ୍ନ ଦିଗ ଉପରେ ସେ ଆଲୋକପାତ କରିଥିଲେ । ସେହିପରି ପରବର୍ତ୍ତୀ ଏକାଡେମୀକ୍ ଅଭିଭାଷଣରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଡ. ରଞ୍ଜିତା ଓରାମ, ଓରାମ ଜନଜାତିର ସଂସ୍କୃତି ଓ ସମୁଦାୟ ଜୀବନ ଉପରେ ଆଲୋଚନା କରିବା ସହ ଓରାମ ସମୁଦାୟର ସାମାଜିକ ପରମ୍ପରା, ଜୀବନଶୈଳୀ, ଭାଷା, ପର୍ବପର୍ବାଣୀ, ରୀତିନୀତି ଓ ସାଂସ୍କୃତିକ ପରିଚୟର ବିଭିନ୍ନ ପାର୍ଶ୍ୱକୁ ବିଶ୍ଳେଷଣ କରିଥିଲେ । ପରେ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଭାରତୀ ମୃଧା କିଷାନ ଜନଜାତିର ସଂସ୍କୃତି ଓ ସମୁଦାୟ ଜୀବନ ସମ୍ପର୍କରେ ତଥା ପାରମ୍ପରିକ ଜୀବନଧାରା, ସାମାଜିକ ସମ୍ପର୍କ, ପରମ୍ପରା, ରୀତିନୀତି ଓ ସାଂସ୍କୃତିକ ବିଶେଷତା ଉପରେ ଆଲୋକପାତ କରିଥିଲେ । ଶେଷରେ ବିଶାଲ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ସ୍ୱାତୀସ୍ମିତା ସାହୁ ସଂଯୋଜନା କରିଥିଲାବେଳେ ଆଶ୍ରିତା ଓ ଗୃପ ସ୍ୱାଗତ ସଂଗୀତ ତଥା ଦିବ୍ୟା, ସନୀର, ଆୟୁଷ, ସିଦ୍ଧାର୍ଥ, ଚନ୍ଦନ, ଖୁସବୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.