
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ବାବା ସାହେବ ବି. ଆର୍ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସମ୍ବିଧାନର ପ୍ରଣେତାଙ୍କ ପ୍ରତି ଶ୍ରଦ୍ଧା ରଖି ଶହ ଶହ ଶ୍ରଦ୍ଧାଳୁ ଜୟନ୍ତୀ ଉତ୍ସବକୁ ବିଭିନ୍ନ ସ୍ଥାନରେ ଥିବା ବାବା ସାହେବଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଜୟପାଟଣା ଠାରେ ଆୟୋଜିତ ବ୍ଲକସ୍ତରୀୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ଭାରତୀୟ ଜନତା ପାର୍ଟି ଦ୍ୱାରା ମୁଖୀଗୁଡ଼ା ସ୍ଥିତ ବାବା ସାହେବଙ୍କ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିବାବେଳେ କପୁରମାଲ ଆମ୍ବେଦକର କ୍ଲବ ଦ୍ୱାରା ଆୟୋଜିତ ଜୟନ୍ତୀ ସମାରୋହରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାବା ସାହେବଙ୍କ ଜୀବନ ଚରିତ୍ର ଉପରେ ଜନତାଙ୍କୁ ଅବଗତ କରାଇଥିଲେ । ସେହିପରି ବାନେର, ରେଂଗାଲ ପାଲି, ଖଲିଆ ଭଟା, କଦୋ ପଦର, ଠାରେ ମଧ୍ୟ ଜୟନ୍ତୀ ଉତ୍ସବକୁ ଧୁମ୍ଧାମରେ ପାଳନ କରାଯାଇଛି । ଜୟପାଟଣା ବ୍ଲକସ୍ତରୀୟ ଶୋଭାଯାତ୍ରାରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିକୁ ଏକ ସୁସଜ୍ଜିତ ରଥରେ ରଖି ବିଭିନ୍ନ ବାଦ୍ୟର ତାଳେ ତାଳେ ନଗର ପରିକ୍ରମା କରଯାଇଥିଲା । ଜୟପାଟଣା ସାପ୍ତାହିକ ହାଟ ଛକ ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ବ୍ଲକପଡ଼ା ନିକଟ ପ୍ରାଣୀ ସମ୍ପଦ ଚିକିତ୍ସାଳୟ ପାର୍ଶ୍ଵରେ ସମାରୋପ କରଯାଇଥିଲା । ଏଥିରେ ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ ।