centurian jitm

ଦୈବସ୍ଥଳୀ ଜମିକୁ ଜବରଦଖଲ କରି ଜଣେ ଆଞ୍ଚଳିକ ନେତା ଧମକ ଦେଉଥିବା ଅଭିଯୋଗ

nschool

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରେ ଥିବା ଦୈବସ୍ଥଳୀ ଜମିକୁ କିଛି ବ୍ୟକ୍ତି ଜୋର ଜବରଦସ୍ତ ଜବରଦଖଲ କରି ରଖିଥିବା ବେଳେ ପ୍ରଶାସନ ତରଫରୁ ଜବରଦଖଲ ଜାଗାକୁ ଦେଖିବାକୁ ଆସିଥିବା କିଛି ପ୍ରଶାସନିକ କର୍ମଚାରୀ ଏବଂ କିଛି ସାମ୍ବାଦିକଙ୍କୁ ସ୍ଥାନୀୟ ଜଣେ ଆଞ୍ଚଳିକ ନେତା ଧମକ ଦେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଖପ୍ରାଖୋଲ ସ୍ଥିତ ମା’ ଡ଼ୁମେରତଲିଏନ୍‌ ଗ୍ରାମଦେବୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ସରକାରଙ୍କ ସ୍ୱତନ୍ତ୍ର ଧାର୍ମିକ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି । ସେଥିପାଇଁ ଶୁକ୍ରବାର ଦିନ ଖପ୍ରାଖୋଲ ନୂତନ ବିଡ଼ିଓ ଆକାଶ ରଞ୍ଜନ ସାହୁ, କନିଷ୍ଠ ଯନ୍ତ୍ରୀ ରାଜକିଶୋର ନାଏକ ମନ୍ଦିର ଜମି ନିରୀକ୍ଷଣ ପାଇଁ ଆସିଥିବା ବେଳେ ସେହି ସ୍ଥାନରେ କିଛି ସ୍ଥାନୀୟ ଲୋକ ଏବଂ କିଛି ସାମ୍ବାଦିକ ମଧ୍ୟ ଉପସ୍ଥିତ ଥିଲେ । ଜମି ନିରୀକ୍ଷଣ ସମୟରେ ଦୈବ ସ୍ଥଳୀକୁ ଜୋର ଜବରଦସ୍ତି ଜବର ଦଖଲ କରି କିଛି ବର୍ଷ ହେଲା ପାଚେରୀ ଦେଇଥିବା ବେଳେ ସେହି ସ୍ଥାନରେ ମନ୍ଦିର ନିର୍ମାଣ ହେବ ବୋଲି ପ୍ରଶାସନିକ ଅଧିକାରୀ ଜଣାଇଥିଲେ ଏବଂ କହିଥିଲେ ସରକାରୀ ନିୟମ ଅନୁଯାୟୀ ମନ୍ଦିର ନିର୍ମାଣ ପୂର୍ବରୁ ପ୍ରଥମେ ଜମି ଚିହ୍ନଟ ହେବ । ଏତିକି କଥାରେ ସ୍ଥାନୀୟ ଜଣେ ଆଞ୍ଚଳିକ ନେତା ତଥା ଜମି ଜବରଦଖଲ କରିଥିବା ବ୍ୟକ୍ତି ଉତ୍‌କ୍ଷିପ୍ତ ହୋଇ ପାଟି ତୁଣ୍ଡ କରି ଧମକ ଦେଇଥିଲେ ଯେ, ସେ ଯଦି ଚାହିଁବେ ମନ୍ଦିର ତିଆରି କରାଇ ଦେବେ ନାହିଁ ବୋଲି । କିନ୍ତୁ ଅଭିଯୋଗ ଅନୁଯାୟୀ ଗ୍ରାମର ଖାତାନଂ ୧୩୦ ପ୍ଲଟ ନଂ ୬୩୧ରେ ୦.୭୦ ଡେସିମିଲ ସରକାରୀ ଦୈବସ୍ଥଳୀ ଥିବା ବେଳେ ବିଗତ କିଛି ବର୍ଷ ହେଲା ଏହାକୁ ଜବରଦଖଲ କରି ନେଇ ପାଚେରୀ ଦେଇ ଘେରାଉ କରି ରଖିଛନ୍ତି । ଯାହାଦ୍ୱାରା ମନ୍ଦିର ସ୍ଥାନ କମ୍‌ ହୋଇଥିବାରୁ ପୂଜା ଅର୍ଚ୍ଚନା କରିବା ପାଇଁ ଜନସାଧାରଣ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଦେଖିବାକୁ ବାକି ରହିଲା ପ୍ରଶାସନ ଏଦିଗରେ କ’ଣ ପଦକ୍ଷେପ ନେଉଛି । ଜବରଦଖଲକାରୀଙ୍କ ଭୟରେ କାମ ବନ୍ଦ ହେବ, ନା’ ମନ୍ଦିର ଜମି ଚିହ୍ନଟ କରି ମନ୍ଦିର ତିଆରି ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.