pakka

ଜବରଦଖଲ ଉଚ୍ଛେଦକୁ ତୀବ୍ର ବିରୋଧ : ପୌରପାଳିକା ଓ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଅଂଚଳବାସୀ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ପ୍ରଶାସନ ସହରରେ ପୁଣି ଥରେ ଜବର ଦଖଲ ଉଚ୍ଛେଦ ଆରମ୍ଭ କରିଛି । କିଛି ଦିନ ତଳେ ଜିଲ୍ଲା ପ୍ରଶାସନ ତରଫରୁ ସହରର ଫଲସା ପତ୍ରି ଅଂଚଳରେ ଉଚ୍ଛେଦ କରାଯାଇଥିବା ବେଳେ ସହରର ବିଭିନ୍ନ ଅଂଚଳବାସିନ୍ଦାଙ୍କୁ ଉଚ୍ଛେଦ ଭୟ ଘାରିଛି । ଆଜି ସହରର ପ୍ରାୟ ୭ଟି ଅଂଚଳର ବାସିନ୍ଦାମାନେ ଏହି ଉଚ୍ଛେଦ ବିରୁଦ୍ଧରେ ସ୍ଥାନୀୟ ପୌରପାଳିକା ଓ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଛନ୍ତି । ବର୍ତ୍ତମାନ ଅନ୍ୟ କୌଣସି ଅଂଚଳ ଉଚ୍ଛେଦ ହେବାର କାର୍ଯ୍ୟକ୍ରମ ନାହିଁ । ଆପଣମାନେ ଅଯଥା କାର୍ଯ୍ୟାଳୟ ଘେରିବାର ଆବଶ୍ୟକତା ନାହିଁ ବୋଲି ଅତିରିକ୍ତ ଜିଲ୍ଲାପାଳ କହିବା ପରେ ଆନ୍ଦୋଳନକାରୀ ଧାରଣାରୁ ଓହରି ଯାଇଥିଲେ । ତେବେ ଆଗାମୀ ଦିନରେ ଉଚ୍ଛେଦ ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରାଯିବା ନେଇ ଅସନ୍ତୁଷ୍ଟ ବସ୍ତି ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି । ବିଗତ କିଛି ଦିନ ହେବ ସହରରେ ପୁଣି ଥରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସହରର ଅଫିସର କଲୋନି ପଛପଟ ଫଲସାପତ୍ରି ଅଂଚଳରେ ଉଚ୍ଚେଦ ପ୍ରକ୍ରିୟା ଆରମ୍ଭ ହେବା ପରେ ବିିଭିନ୍ନ ଅଂଚଳର ଜବରଦଖଳ ଜମି ରହୁଥିବା ଲୋକଙ୍କୁ ଉଚ୍ଛେଦ ଭୟ ଘାରିଛି । ଲୋକଙ୍କୁ ଥଇଥାନ କରିବା ପୁର୍ବରୁ ତାଙ୍କୁ ଜୋର ଜବରଦସ୍ତ ଉଚ୍ଛେଦ କରାଯିବାକୁ ଲୋକେ ତୀବ୍ର ବିରୋଧ କରିଛନ୍ତି । ଅନ୍ୟପଟେ, ବାର୍ଷିକ ଆୟ ୬୦ହଜାର ତଳେ ଥିବା ବ୍ୟକ୍ତିଙ୍କୁ କେବଳ ଥଇଥାନ କରାଯିବା ନିଷ୍ପତ୍ତିକୁ ମଧ୍ୟ ଲୋକେ ବିରୋଧ କରିଛନ୍ତି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଲୋକ ପ୍ରତିନିଧିମାନେ ଅନୁପସ୍ଥିତ ଥିବାବେଳେ ବାରମ୍ବାର ଚେଷ୍ଟା ସତ୍ୱେ ଜିଲ୍ଲାପାଳଙ୍କ ଦେଖା ମିଳୁ ନଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ସହରରେ ଏହି ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରାନଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବା ନେଇ ଅଂଚଳବାସୀ ଚେତାବନୀ ଦେଇଛନ୍ତି । ଆଜି ସକାଳୁ ସହରର ଇନ୍ଦିରାନଗର, ରାଜୀବନଗର, ହାତୀଶାଲପଡା, ଜୋରଖଣ୍ଡିପଡା, ବିଭୁତିପଡା, ଫଲସାପତ୍ରି ଓ ଇଚ୍ଛାପଡା ଅଂଚଳର ଶତାଧିକ ବାସିନ୍ଦା ଜବର ଦଖଲ ଉଚ୍ଛେଦ ବିରୁଦ୍ଧରେ ସ୍ଥାନୀୟ ପୌରପାଳିକା କାର୍ଯ୍ୟାଳୟକୁ ଧସେଇ ପଶିଥିଲେ । ଜୋରଦାର ହଟ୍ଟଗୋଳ ପରେ ବଲାଙ୍ଗିର ପୌରାଧିକାରୀ ଶ୍ରୀ ଦୀପ ଏ ବିଷୟରେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ଅନ୍ଦୋଳନକାରୀଙ୍କୁ ପ୍ରକାଶ କରିଥିଲେ । ସେଠାରୁ କୌଣସି ନିର୍ଭରଯୋଗ୍ୟ ଉତ୍ତର ମିଳି ନଥିବା ବେଳେ ଆନ୍ଦୋଳନକାରୀ ସିଧା ଜିଲ୍ଲାପାଳ କାର୍ଯ୍ୟାଳୟକୁ ମୁହାଇଥିଲେ । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି, ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ନାରାବଜି କରିବା ସହ ରାସ୍ତା ରୋକ କରିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଖା କରିଥିଲେ । ଏବେ ଉଚ୍ଛେଦ କରାଯିବା ନେଇ କୌଣସି ନିର୍ଦ୍ଦେଶ ନାହିଁ, ପ୍ରଶାସନ ଏ ବିଷୟରେ ଚର୍ଚ୍ଚା କରିବ, ଆପଣମାନେ ଘରକୁ ଫେରି ଯାଆନ୍ତୁ ଶୁଣିବା ପରେ ଆନ୍ଦୋଳନକାରୀ ଧାରଣାରୁ ଓହରି ଯାଇଥିଲେ । ତେବେ, ସହରର ଆବଶ୍ୟକତା, ବିକାଶ ଗରିବ ଜନସାଧାରଣଙ୍କ ଅବସ୍ଥା ଯାହା ହେଉ ଠିକ ନିର୍ବାଚନୀ ସମୟ ପୂର୍ବରୁ ସହରରେ ଜବରଦଖଲ ଉଚ୍ଛେଦ ବିଭିନ୍ନ ରାଜନୈତିକ ଦଳକୁ ରାଜନୀତି କରିବା ପାଇଁ ବେଶ ଖୋରାକ ଯୋଗାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

14 + 13 =