ଜନସେବା ପାଇଁ ଲୋକାର୍ପିତ ହେଲା କପିଳେଶ୍ୱର ଚାରିଟେବଲ୍ ହସପିଟାଲ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସମେତ ପଶ୍ଚିମ ଓଡିଶା ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ଲକ୍ଷ୍ୟରେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ମହାନଦୀ କୂଳରେ ନିର୍ମିତ କପିଳେଶ୍ୱର ଚାରିଟେବୁଲ୍ ହସପିଟାଲ ଆଜି ରାଜ୍ୟ ବାଣିଜ୍ୟ ଓ ପରିବହନମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଅଂଚଳବାସୀଙ୍କ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଏକ ଅଭିଜ୍ଞ ବିଶେଷଜ୍ଞ ଡାକ୍ତର ଦଳ ସମର୍ପିତ ସେବା ଯୋଗାଇବାର ସମୂହ ପ୍ରତିବଦ୍ଧତା ନେଇଛନ୍ତି । ଡା.ଲକ୍ଷ୍ମୀକାନ୍ତ ମହାପାତ୍ର, ଡା.ବେଣୁଧର ପାଣ୍ଡେ, ଡା.ପ୍ରକାଶ ଦଣ୍ଡସେନା, ଡା.ସ୍ୱପ୍ନେଶ୍ୱର ବେହେରା, ଡା.ରବୀନ୍ଦ୍ର ପ୍ରଧାନ ଓ ଡା. ରବୀନାରାୟଣ ତ୍ରିପାଠୀଙ୍କ ପରି ଅଭିଜ୍ଞ ଡାକ୍ତରଙ୍କୁ ନେଇ ଉଭୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ସଂପର୍କିତ ପରାମର୍ଶ ଯୋଗାଇ ଦିଆଯିବ । କାଳଜୟୀ ସୃଷ୍ଟି “ଶଲାବୁଢା”ର ଲେଖକ ଓ ସମାଜସେବୀ କପିଳେଶ୍ୱର ମହାପାତ୍ରଙ୍କ ସ୍ୱପ୍ନର ଚିକିତ୍ସାଳୟ ଉଦଘାଟିତ ହୋଇସାରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଏହି ହସପିଟାଲରେ ସାଧାରଣ ଲାପ୍ରୋସ୍କୋପି ସହ ଶଲ୍ୟ, ସ୍ତ୍ରୀ ରୋଗ ଓ ପ୍ରସୂତି, ଭେଷଜ, ଅସ୍ଥିଶଲ୍ୟ ଓ ପାଥୋଲୋଜି ପରି ବିଭାଗରେ ଅଭିଜ୍ଞ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା ସେବା ଉପଲବ୍ଧର ଚୂଡାନ୍ତ ପ୍ରକ୍ରିୟା ସରିସାରିଛି । ପ୍ରାଥମିକ ସ୍ତରରେ ୧୦ଟି ସ୍ୱତନ୍ତ୍ର ଶଯ୍ୟା ରହିଥିବା ବେଳେ ଗୋଟିଏ ପ୍ରସୂତୀ କକ୍ଷ ସହ ଏକ ଅସ୍ତ୍ରୋପଚାର କକ୍ଷ ଓ ସମସ୍ତ ନିଦାନ ପାଇଁ ଏକ ପରୀକ୍ଷାଗାର ରହିଛି । ଉଦଘାଟନୀ ପର୍ବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରଦୀପ କୁମାର ଗୁରୁ, ଅର୍ଥନୈତିଜ୍ଞ ସତ୍ୟେନ୍ଦ୍ର ପାଢୀ, ବିଶିଷ୍ଟ ଶିକ୍ଷାବିଦ୍ ଜୟଦେବ ଦଣ୍ଡସେନାଙ୍କ ସହ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଆଜିର ଦିନରେ ଲାଭାର୍ଥୀଙ୍କୁ ଉନ୍ନତ ଚିକିତ୍ସା ସେବା ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ କରାଯିବ ବୋଲି ଚେତନା ଟ୍ରଷ୍ଟ ମ୍ୟାନେଜମେଣ୍ଟର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ରଷ୍ଟର ବରିଷ୍ଠ ସଦସ୍ୟ ତଥା ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

one × 1 =