
ନୂଆପଡ଼ା : ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବନ ବିଭାଗର ବରିଷ୍ଠ ସହାୟକ। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ବନ୍ୟପ୍ରାଣୀ ଡିଭିଜନର ଡିଏଫ୍ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ସହାୟକ ତଥା ପ୍ରତିଷ୍ଠାନ ବିଭାଗର ପ୍ରଭାରୀ ବାବୁଲୁ ସୁନାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ସୂଚନା ଅନୁସାରେ, ୨୦୨୩ ମସିହାରୁ ମିଥ୍ୟା ବକେୟା ବିଲ୍ ପ୍ରସ୍ତୁତ କରି ସେ ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍ କରିଥିବା ତଦନ୍ତରୁ ଜଣାପଡ଼ିଛି । ଗତ ଛଅ ମାସ ଧରି ଫେରାର୍ ଥିବା ବାବୁଲୁଙ୍କୁ ଗତକାଲି ରାତିରେ ବଲାଙ୍ଗିରରୁ ଗିରଫ କରାଯାଇଛି। ଭିଜିଲାନ୍ସ ତଦନ୍ତ ଅନୁଯାୟୀ, ଅଭିଯୁକ୍ତ ଜଣକ ସଂଶୋଧିତ ନିଶ୍ଚିତ କ୍ୟାରିୟର ପ୍ରୋଗ୍ରେସନ୍ ଯୋଜନା ଅଧୀନରେ ପୂର୍ବତନ, ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ପରିଚୟ ବ୍ୟବହାର କରି ଜାଲ୍ ବିଲ୍ ପ୍ରସ୍ତୁତ କରୁଥିଲେ। ଏହି ଅର୍ଥକୁ ନିଜ ପରିବାରର ସଦସ୍ୟ ଏବଂ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଥିବା ଅଭିଯୋଗ ହୋଇଛି । ଏହା ସହ ନିଜର ଦରମା ବୃଦ୍ଧି ପାଇଁ ସରକାରୀ ରେକର୍ଡରେ ହେରଫେର କରି ଅତିରିକ୍ତ ୧୦ ଲକ୍ଷ ୫୮ ହଜାର ଟଙ୍କାରୁ ଅଧିକ ଉଠାଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି । ଏହି ଘଟଣାରେ ଦୁର୍ନୀତି ନିବାରଣ ଆଇନ ଏବଂ ଅନ୍ୟ ପ୍ରାସଙ୍ଗିକ ଧାରା ଅନୁଯାୟୀ କୋରାପୁଟ ଭିଜିଲାନ୍ସ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତଙ୍କୁ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଘଟଣାରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ଭିଜିଲାନ୍ସର ତଦନ୍ତ ଜାରି ରହିଛି ।