
ଗଞ୍ଜାମ : ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ରରେ ବଢ଼ିଛି ଅଶାନ୍ତି । ଏଭଳି ସ୍ଥିତିରେ ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସମୁଦ୍ରକୁ ଯିବା ଉପରେ କଟକଣା ଜାରି ହୋଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସାଗର ମିତ୍ରଙ୍କ ଜରିଆରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଥିବା ବେଳେ, ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ କୁହାଯାଇଛି । ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲାର ଉପକୂଳ ଅଞ୍ଚଳରେ ଦେଖିବାକୁ ମିଳିଛି । ଡଙ୍ଗା ଧରି ସମୁଦ୍ରରୁ କୂଳକୁ ଫେରୁଛନ୍ତି ମତ୍ସ୍ୟଜୀବୀ । ଜିଲ୍ଲାରେ ମୋଟ ୧ ହଜାର ୬୨୫ଟି ଡଙ୍ଗା ଥିବା ବେଳେ, ଆର୍ଯ୍ୟପଲ୍ଲୀ ଓ ଗୋପାଳପୁର ଅଞ୍ଚଳରେ ପ୍ରାୟ ୧ ହଜାର ୮୩ଟି ଡଙ୍ଗା ରହିଛି । ଆର୍ଯ୍ୟପଲ୍ଲୀ ଅଞ୍ଚଳରୁ ସମୁଦ୍ରକୁ ଯାଇଥିବା ଡଙ୍ଗାଗୁଡ଼ିକ ଧୀରେ ଧୀରେ କୂଳକୁ ଫେରୁଛନ୍ତି । ଅନ୍ୟପଟେ, ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରୁ ଆସିଥିବା ଦୁଇଟି ଟ୍ରଲର ଆର୍ଯ୍ୟପଲ୍ଲୀ ନିକଟରେ ଲଙ୍ଗର ପକାଇଛି । ଏହି ଦୁଇଟି ଟ୍ରଲରରେ ୧୩ ଜଣ ମତ୍ସ୍ୟଜୀବୀ ରହିଛନ୍ତି । ସମୁଦ୍ର ଅଶାନ୍ତ ଥିବାରୁ ନିଜ ଅଞ୍ଚଳକୁ ଫେରିବା ସମ୍ଭବ ହୋଇନଥିବା ବେଳେ, ସେମାନେ ଆର୍ଯ୍ୟପଲ୍ଲୀ ନିକଟରେ ସୁରକ୍ଷିତ ଭାବେ ଆଶ୍ରୟ ନେଇଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳ ଅଞ୍ଚଳରେ ସତର୍କତା ଜାରି ରହିଥିବା ବେଳେ, ମତ୍ସ୍ୟଜୀବୀଙ୍କ ସୁରକ୍ଷା ଉପରେ ପ୍ରଶାସନର ନଜର ରହିଛି ।