
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର କୋଶଳ କଳା ମଣ୍ଡଳରେ ଆୟୋଜିତ ହୋଇଯାଇଛି ମୃଦୁରେଖା ଡ୍ୟାନ୍ସ ଏକାଡେମୀର ନୃତ୍ୟ ମହୋତ୍ସବ । ଅନୁଷ୍ଠିତ ଏହି ସାଂସ୍କୃତିକ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ନୃତ୍ୟଶିଳ୍ପୀମାନେ ଯୋଗଦେଇ ନିଜର କଳା ପ୍ରଦର୍ଶନ କରିଥିଲେ । ଏହି ମହୋତ୍ସବରେ ବଲାଙ୍ଗିର ଓ ଭୁବନେଶ୍ୱରର ଓଡ଼ିଶୀ ନୃତ୍ୟ ଦଳ ସହ ଟିଟିଲାଗଡ଼ର ସୁଶୀଲ ମଲ୍ଲିକ ଓ ତାଙ୍କ ଟିମ୍ର ଫ୍ୟୁଜନ୍ ସଙ୍ଗୀତ ଦଳ ଅଂଶଗ୍ରହଣ କରିଥିଲେ । ଏଥିସହ ମୃଦୁରେଖା ଡ୍ୟାନ୍ସ ଏକାଡେମୀର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ । ୨୦୨୪ ମସିହାରେ ଚିତ୍ତରଞ୍ଜନ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଏକାଡେମୀ ଓଡ଼ିଶୀ ସମେତ ବିଭିନ୍ନ ପାରମ୍ପରିକ ନୃତ୍ୟର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରୁଛି । ଏଭଳି ମହୋତ୍ସବ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିକୁ ଆଗକୁ ବଢ଼ାଇବା ସହ ନୂଆ ପିଢ଼ିର କଳାକାରଙ୍କୁ ମଞ୍ଚ ଯୋଗାଇ ଦିଆଯାଉଛି ।