jayashree

ବିବାହ ପାଇଁ ଟଙ୍କା ନଥିଲା : ମନ୍ଦିରରୁ ଲୁଟିଲେ ସୁନା ଚେନ୍‌, ଗିରଫ ପ୍ରେମୀଯୁଗଳ

ହାଇଦ୍ରାବାଦ : ବିବାହ କରିବାକୁ ଟଙ୍କା ଅଭାବ । ଶେଷରେ ଅପରାଧର ରାସ୍ତା ବାଛିଲେ ପ୍ରେମୀଯୁଗଳ । ହାଇଦ୍ରାବାଦରେ ଜଣେ ବୟସ୍କା ମହିଳାଙ୍କଠାରୁ ସୁନା ଚେନ୍‌ ଛଡ଼ାଇ ନେବା ଅଭିଯୋଗରେ ପ୍ରେମୀଯୁଗଳଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ୨୩ ବର୍ଷୀୟ ଦୁର୍ଗା ରମଣା ରେଡ୍ଡୀ ଏବଂ ୨୪ ବର୍ଷୀୟା ଟେଙ୍କା ବରଲକ୍ଷ୍ମୀ । ଉଭୟ ପ୍ରାୟ ୧୮ ମାସ ଧରି ପ୍ରେମ ସମ୍ପର୍କରେ ଥିବା ବେଳେ ଏକାଠି ରହୁଥିଲେ । ସୂଚନା ଅନୁସାରେ, ଅକ୍ଟୋବର ୧୮ ତାରିଖ ସକାଳେ ଭେଙ୍କଟ ରମଣା କଲୋନୀର ରାଜା ରାଜେଶ୍ୱରୀ ମନ୍ଦିରରେ ଜଣେ ମହିଳା ସଫାସଫି କରୁଥିବା ସମୟରେ ତାଙ୍କୁ ଟାର୍ଗେଟ କରିଥିଲେ ଅଭିଯୁକ୍ତ । ବରଲକ୍ଷ୍ମୀ ସାହାଯ୍ୟ କରିବା ବାହାନାରେ ମହିଳାଙ୍କୁ ଜାବୁଡ଼ି ଧରି ପାଟି ବନ୍ଦ କରିଥିବା ବେଳେ, ରମଣା ରେଡ୍ଡୀ ତାଙ୍କ ବେକରୁ ପ୍ରାୟ ୩୦ ଗ୍ରାମ ଓଜନର ସୁନା ଚେନ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ପୋଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ଘଟଣାର ତିନି ଦିନ ପରେ ବନସ୍ଥଳୀପୁରମର କମଳା ନଗର ଅଞ୍ଚଳରୁ ଉଭୟଙ୍କୁ ଗିରଫ କରାଯାଇଛି । ବିବାହ ପାଇଁ ଅର୍ଥ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ସେମାନେ ଏଭଳି କାଣ୍ଡ ଘଟାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି ।

Leave A Reply

Your email address will not be published.