
ଫୁଲବାଣୀ : ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ମା’ଙ୍କୁ ନିର୍ଯ୍ୟାତନା ଓ ମାଡ଼ ମାରିବା ଅଭିଯୋଗ । ଶେଷରେ ଚାଲିଗଲା ୭୦ ବର୍ଷୀୟ ବୃଦ୍ଧାଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପିଅନପଡ଼ାର ଚନ୍ଦନନଗର ଅଞ୍ଚଳରେ ଘଟିଛି । ମୃତ ବୃଦ୍ଧା ହେଉଛନ୍ତି ବୁଢ଼ାଦାନୀ ଗାଁର ସେବତୀ କହଁର । ଏହି ଘଟଣାରେ ତାଙ୍କ ଝିଅ ସ୍ମିତାରାଣୀଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ପ୍ରାୟ ଦେଢ଼ ବର୍ଷ ପୂର୍ବେ ସ୍ମିତାରାଣୀ ପରିବାରର ଅନିଚ୍ଛା ସତ୍ତ୍ୱେ ପିଅନପଡ଼ାର ସୁଜିତ ଦେହୁରୀଙ୍କୁ ପ୍ରେମ ବିବାହ କରିଥିଲେ। ଏହା ପରେ ବାପଘର ସହ ତାଙ୍କର ସମ୍ପର୍କ ତିକ୍ତ ହୋଇଥିଲା। ପୈତୃକ ସମ୍ପତ୍ତିରୁ ଭାଗ ନ ଦେବାକୁ ପରିବାର ପକ୍ଷରୁ ନିଷ୍ପତ୍ତି ହୋଇଥିବାରୁ ମା’ ଓ ଝିଅଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ସ୍ମିତାରାଣୀ ଏକ କନ୍ୟା ସନ୍ତାନ ଜନ୍ମ ଦେବା ପରେ ଶିଶୁର ଯତ୍ନ ନେବା ପାଇଁ ପ୍ରାୟ ଦେଢ଼ ମାସ ପୂର୍ବେ ନିଜ ମା’ ସେବତୀଙ୍କୁ ଘରକୁ ନେଇଥିଲେ। ଅଭିଯୋଗ ଅନୁସାରେ, ସେଠାରେ ପୁଣି ସମ୍ପତ୍ତିକୁ ନେଇ ବିବାଦ ଉପୁଜିଥିଲା। ଏହାକୁ କେନ୍ଦ୍ର କରି ସ୍ମିତାରାଣୀ ମା’ଙ୍କୁ ମାଡ଼ ମାରିବା ସହ ଧାରୁଆ ଛୁରିରେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ମାଡ଼ରେ ସେବତୀଙ୍କ ହାତଗୋଡ଼ ଭାଙ୍ଗିଯାଇଥିବା ଏବଂ ତାଙ୍କ ପିନ୍ଧା ଅଳଙ୍କାର ଛଡ଼ାଇ ନିଆଯାଇଥିବା ମଧ୍ୟ ଅଭିଯୋଗ ରହିଛି। ଦୁଇ ଦିନ ପୂର୍ବେ ସେବତୀଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ବୁଢ଼ାଦାନୀ ଗାଁରେ ଛାଡ଼ି ଦିଆଯାଇଥିଲା। ପରେ ତାଙ୍କ ବୋହୂ ନିର୍ମଳଲତା ଶୁକ୍ରବାର ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସେବତୀଙ୍କ ମୃତ୍ୟୁ ହୋଇଥିଲା। ବୋହୂ ନିର୍ମଳଲତାଙ୍କ ଏତଲା ଆଧାରରେ ଟାଉନ ପୁଲିସ ମାମଲା ରୁଜୁ କରି ସ୍ମିତାରାଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ମୃତକଙ୍କ ଅଳଙ୍କାର ଓ ଘଟଣାରେ ବ୍ୟବହୃତ ଦୁଇଟି ଛୁରି ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ଫୁଲବାଣୀ ଟାଉନ ଥାନା ଅଧିକାରୀ ପ୍ରଜ୍ଞା ରୀତାମ୍ଭରା କର ସୂଚନା ଦେଇଛନ୍ତି ।