jayashree

ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷରେ ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶିରେ ବୃଦ୍ଧି : ଘୋଷଣା କଲେ ମୁଖ୍ୟମନ୍ତ୍ରୀ

  • ମୃତ୍ୟୁ କ୍ଷେତ୍ରରେ ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି

ଭୁବନେଶ୍ୱର : ମନୁଷ୍ୟ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷରେ ପ୍ରତିବର୍ଷ ରାଜ୍ୟରେ ବହୁ ଲୋକ ମୃତାହତ ହେଉଛନ୍ତି । ଏହାସହିତ ଘରଦ୍ବାରା ଭାଙ୍ଗିବା ଓ ଫସଲ ନଷ୍ଟ ହେବା ସହିତ ଗୃହପାଳିତ ପ୍ରାଣୀମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ଏହି କ୍ଷତିଗ୍ରସ୍ତ ଲୋକଙ୍କ ପରିବାର ପାଇଁ କେବଳ ଏକ ଅପୂରଣୀୟ କ୍ଷତି ନୁହେଁ, ବରଂ ସେମାନଙ୍କ ପ୍ରିୟଜନମାନଙ୍କୁ ହରାଇ ଗଭୀର ମାନସିକ ଚାପରେ ମଧ୍ୟ ରହିଥାନ୍ତି ।

ତେଣୁ ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପା ରାଶି ତଥା ସଂପତ୍ତି କ୍ଷୟକ୍ଷତି ପାଇଁ ସହାୟତା ରାଶିରେ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ବନ୍ୟାପ୍ରାଣୀ ଆକ୍ରମଣରେ ମନୁଷ୍ୟ ମୃତ୍ୟୁ କ୍ଷେତ୍ରରେ ଅନୁକମ୍ପାମୂଳକ ରାଶିର ପରିମାଣ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ।

ସେହିପରି ଗୁରୁତର ଆହତଙ୍କ (Permanent Injury) କ୍ଷେତ୍ରରେ ସହାୟତା ପରିମାଣ ମଧ୍ୟ ବୃଦ୍ଧି ପାଇଛି । ୬୦ ପ୍ରତିଶତରୁ କମ୍‌ ଅକ୍ଷମତା କ୍ଷେତ୍ରରେ ସହାୟତା ପରିମାଣ ୧ ଲକ୍ଷ ଟଙ୍କାରୁ ୧.୫୦ ଲକ୍ଷ ଟଙ୍କା ଏବଂ ୬୦ ପ୍ରତିଶତରୁ ଅଧିକ ଅକ୍ଷମତା କ୍ଷେତ୍ରରେ ସହାୟତା ପରିମାଣ ୨.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ।

ସେହିପରି ସାମାନ୍ୟ ଆହତଙ୍କ (Temporary Injury) କ୍ଷେତ୍ରରେ ପୂର୍ବରୁ ସହାୟତା ପରିମାଣ ୫ ହଜାର ଟଙ୍କା ଥିଲା । ବର୍ତ୍ତମାନ ଏକ ସପ୍ତାହରୁ ଅଧିକ ସମୟ ଧରି ଚିକିତ୍ସାର ଆବଶ୍ୟକତା ଥିଲେ, ସେ କ୍ଷେତ୍ରରେ ସରକାରୀ ହସ୍‌ପିଟାଲରେ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସହିତ ୧୦ ହଜାର ଟଙ୍କା ସହାୟତା ଦିଆଯିବ । ଚିକିତ୍ସାର ସମୟ ଏକ ସପ୍ତାହରୁ କମ୍‌ ହେଲେ, ସରକାରୀ ହସ୍‌ପିଟାଲରେ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସହିତ ୫ ହଜାର ଟଙ୍କା ସହାୟତା ଦିଆଯିବ ।

ଗୋମହିଷାଦି ପ୍ରାଣୀଙ୍କ ମୃତ୍ୟୁ କ୍ଷେତ୍ରରେ ମଧ୍ୟ ସହାୟତା ରାଶି ବୃଦ୍ଧି ପାଇଛି । ଗାଈ ବା ମଇଁଷିଙ୍କ ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶି ପରିମାଣ ୩୭,୫୦୦ ଟଙ୍କା ଏବଂ ବଳଦର ମୃତ୍ୟୁ କ୍ଷେତ୍ରରେ ସହାୟତା ୩୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବରୁ ଏହା ୫ ହଜାର ଟଙ୍କା ଥିଲା । ବାଛୁରୀ ମୃତ୍ୟୁ ପାଇଁ ସହାୟତା ପରିମାଣ ୨୫୦୦ ଟଙ୍କାରୁ ୫୦୦୦ ଟଙ୍କା, ଛେଳିମେଣ୍ଢାଙ୍କ ମୃତ୍ୟୁ କ୍ଷେତ୍ରରେ ୨୦୦୦ ଟଙ୍କାରୁ ୪୦୦୦ ଟଙ୍କା ଓ ମେଣ୍ଢା ଛୁଆ ମୃତ୍ୟୁ କ୍ଷେତ୍ରରେ ୭୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ଫସଲ କ୍ଷୟକ୍ଷତି କ୍ଷେତ୍ରରେ ମଧ୍ୟ ସହାୟତା ପରିମାଣ ବଢିଛି । ଧାନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ (Cereal) ଫସଲ କ୍ଷତିରେ ସହାୟତା ପରିମାଣ ଏକର ପିଚ୍ଛା ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥକରୀ ଫସଲ କ୍ଷତି କ୍ଷେତ୍ରରେ ସହାୟତା ପରିମାଣ ୧୨ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବଢିଛି ।

ସେହିପରି ଘର ଗୁଡିକର ଆଂଶିକ କ୍ଷତି କ୍ଷେତ୍ରରେ ସହାୟତା ପରିମାଣ ୨୦୦୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଘର ସଂପୂର୍ଣ୍ଣ ଭାଙ୍ଗିଥିଲେ, ବିଜୁ ପକ୍କା ଘର କିମ୍ବା ସେହି ମୂଲ୍ୟର ଅର୍ଥ ସହିତ ଆହୁରି ୨୦ ହଜାର ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯିବ । ପୂର୍ବରୁ ଏହି ସହାୟତା ପରିମାଣ ୧୦,୦୦୦ ଟଙ୍କା ଥିଲା ।

Leave A Reply

Your email address will not be published.