jayashree

ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ, ଚନ୍ଦନଭାଟିର ୩୪ତମ ପ୍ରତିଷ୍ଠା ଦିବସ ପାଳିତ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ, ଚନ୍ଦନଭାଟିର ୩୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ମହାବିଦ୍ୟାଳୟ ଯାହାଙ୍କ ନାମରେ ନାମିତ ସେହି ଶିକ୍ଷାପ୍ରେମୀ ସ୍ୱର୍ଗତ ସୁଦାମ ଚରଣ ପଣ୍ଡାଙ୍କ ଜନ୍ମ ତା-୧୨.୧୦.୧୯୦୬ ମସିହାରେ, ଚନ୍ଦନଭାଟି ଗ୍ରାମର ପିତା ଦୈତାରୀ ପଣ୍ଡା, ମାତା ବୃନ୍ଦାବତୀ ଦେବୀଙ୍କ କୋଳରେ ହୋଇଥିଲା । ସେ ଜଣେ ଆଦର୍ଶ ଶିକ୍ଷକ ଥିଲେ ଏବଂ ଚନ୍ଦନଭାଟି ପ୍ରାଥମିକ ବିଦ୍ୟାଳୟରେ ଅନେକ ଦିନ ଧରି ଶିକ୍ଷକତା କରିଥିଲେ । ଖପ୍ରାଖୋଲ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ନବଜାତ ଶିଶୁକୁ ନେଇ ବଦଳି ଯିବା ଅସମ୍ଭବ ହେବାରୁ ସ୍ୱାଭିମାନୀ ସ୍ୱର୍ଗତ ପଣ୍ଡା ସରକାରୀ ଚାକିରିରୁ ଇସ୍ତଫା ଦେଇ ନିଜ ଜନ୍ମମାଟି ଚନ୍ଦନଭାଟିକୁ ଚାଲିଆସି ୟୁ.ଜି.ଏମ୍.ଇ ସ୍କୁଲ ଚନ୍ଦନଭାଟିରେ ଦୀର୍ଘ ବର୍ଷ ଧରି ଅବୈତନିକ ଭାବେ ଶିକ୍ଷାଦାନ କରିଥିଲେ ଓ ଚନ୍ଦନଭାଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ନେଇଥିଲେ । ମାତ୍ର ଅଞ୍ଚଳରେ ମହାବିଦ୍ୟାଳୟ ନଥିବାରୁ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସ୍ୱପ୍ନ ଅପୂରଣୀୟ ରହୁଥିବାରୁ ସେ ଏକ ଉଚ୍ଚଶିକ୍ଷାନୁଷ୍ଠାନ ପ୍ରତିଷ୍ଠାର ସ୍ୱପ୍ନ ଦେଖିଥିଲେ କିନ୍ତୁ ତାହା ତାଙ୍କ ଜୀବଦଶାରେ ପୂରଣ ହୋଇ ପାରିନଥିଲା ଏବଂ ତାଙ୍କର ତା-୦୩.୦୧.୧୯୮୩ରେ ପରଲୋକ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କ ଅପୂରଣୀୟ ସ୍ୱପ୍ନକୁ ପୂରଣ କରିବାକୁ ୧୯୯୧ରେ ଜ୍ୟେଷ୍ଠ ପୁତ୍ର ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଭାବଗ୍ରାହୀ ପଣ୍ଡାଙ୍କ ପ୍ରଚେଷ୍ଟା ଓ ନେତୃତ୍ୱରେ ସ୍ୱର୍ଗତ ଶଙ୍କର୍ଷଣ ପାଣିଗ୍ରାହୀ, ଦୟାନିଧି ପାଣିଗ୍ରାହୀ, ଅଚ୍ୟୁତାନନ୍ଦ ଯୋଶୀ, ଜଗବନ୍ଧୁ ଖମାରୀ ଶର୍ମା, ଗନ୍ଧମାର୍ଦ୍ଦନ ବେହେରା, ପରକ୍ଷିତ ରଣା ପ୍ରମୁଖଙ୍କ ଉଦ୍ୟମରେ +୨ ମହାବିଦ୍ୟାଳୟ ଭାବେ ପ୍ରତିଷ୍ଠା ହୋଇ ୧୯୯୩ ମସିହା ୧୦/୦୯/୧୯୯୩ ତାରିଖରେ ଡିଗ୍ରୀ ମହାବିଦ୍ୟାଳୟରେ ପରିଣତ ହୋଇଥିଲା, ଯାହା ବର୍ତ୍ତମାନ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ର, ଅଧ୍ୟାପକ ପ୍ରଦୀପ୍ତ ବଲ୍ଲଭ ପାଣିଗ୍ରାହୀ, ଜସ୍ମିନ ନନ୍ଦ, ଯୁଧିଷ୍ଠିର ପଧାନ, ଚନ୍ଦ୍ରଭାନୁ ମିର୍ଦ୍ଧା ଓ ଗ୍ରନ୍ଥାଧ୍ୟକ୍ଷ ପ୍ରିତମ କୁମାର ପଣ୍ଡା ଓ ଅନ୍ୟାନ୍ୟ ଅଧ୍ୟାପକ /ଅଧ୍ୟାପିକା ତଥା କର୍ମଚାରୀଙ୍କ ପ୍ରୟାସରେ ଜିଲ୍ଲା ତଥା ରାଜ୍ୟରେ ସୁନାମ ଅର୍ଜନ କରିଛି ।

Leave A Reply

Your email address will not be published.