
ବଲାଙ୍ଗିର (କେପିଏନ୍ଏସ୍) : ବଲାଙ୍ଗିରରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ସମୀକ୍ଷା । ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ର ଅଗ୍ରଗତି ନେଇ ଦ୍ୱିତୀୟ ଥର ପାଇଁ ବଲାଙ୍ଗିର ଗସ୍ତରେ ଆସି ସମୀକ୍ଷା କରିଛନ୍ତି ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ପର୍ଯ୍ୟଟନ ବିଭାଗର କମିଶନର-ତଥା-ସଚିବ ବଲୱନ୍ତ ସିଂହ । ସର୍କିଟ ହାଉସ୍ଠାରେ ଆୟୋଜିତ ବୈଠକରେ ଜିଲ୍ଲାରେ ଚାଲିଥିବା ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାର ସମସ୍ତ ୫ଟି ବିଧାନସଭା କ୍ଷେତ୍ରରେ ଚାଲିଥିବା ସଂଶୋଧନ କାର୍ଯ୍ୟରେ ସେ ସନ୍ତୋଷ ପ୍ରକାଶ କରିବା ସହ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଥିଲେ । ଏହାସହ ଅଧିକ ସଂଖ୍ୟକ ଭୋଟରଙ୍କ ନାମ ଯୋଗ କିମ୍ବା ବାଦ ଦିଆଯାଇଥିବା ବୁଥ୍ଗୁଡ଼ିକରେ ସୁପର ଚେକିଂ କରିଥିଲେ ଶ୍ରୀ ସିଂହ । କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ନପଡ଼ନ୍ତି, ସେଥିପ୍ରତି ଅଧିକାରୀମାନେ ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସଲୱାରଙ୍କ ସମେତ ଅନ୍ୟ ନିର୍ବାଚନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।