om academy

ଦ୍ୱିତୀୟ ଦିନରେ ଖପ୍ରାଖୋଲରେ ଡ୍ରାଇଭର ସଂଘର ଧର୍ମଘଟ

  • ଆନ୍ଦୋଳନରେ ସାମିଲ ହେଲେ ଶତାଧିକ ଡ୍ରାଇଭର, ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍‌

ଖପ୍ରାଖୋଲ, (ଅଶୋକ ବାଗ) : ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟବ୍ୟାପି ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ଖପ୍ରାଖୋଲ ବ୍ଲକ ଡ୍ରାଇଭର ସଂଘ ଆଜି ପୁଣି ଆନ୍ଦୋଳନରେ ସାମିଲ ହୋଇଥିଲେ । ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ଖପ୍ରାଖୋଲ ଅଂଚଳରେ କାଁ ଭାଁ ଗାଡିକୁ ଛାଡିଦେଲେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି । ଗତ କାଲିଠୁ ଗାଡି ଚଳାଚଳ ବନ୍ଦ ଯୋଗୁଁ ଆଜି ବିଭିନ୍ନ ସରକାରୀ କାର୍ୟ୍ୟାଳୟ ତଥା ବ୍ୟାଙ୍କରେ ଜନସାଧାରଣଙ୍କ ଉପସ୍ଥିତି ଖୁବ୍‌ କମ୍‌ ସଂଖ୍ୟକ ଦେଖିବାକୁ ମିଳୁଛି । ଟ୍ରକ୍‌, ବସ୍‌, ଟ୍ରାକ୍ଟର, ଅଟୋ ସହିତ ଚାରିଚକିଆ ଗାଡି ଚଳାଚଳ ବନ୍ଦ ରହିଥିବା ଯୋଗୁଁ ସାଧାରଣ ଜନତା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖପ୍ରାଖୋଲ କୃଷି କାର୍ୟ୍ୟାଳୟ ନିକଟରେ ଖପ୍ରାଖୋଲ-ପାଟଣାଗଡ ମୁଖ୍ୟ ରାସ୍ତା ଉପରେ ଶତାଧିକ ଡ୍ରାଇଭର ବସି ଅଖଚକ ବନ୍ଦ ଆନ୍ଦୋଳନ କରୁଛନ୍ତି । ଡ୍ରାଇଭରମାନଙ୍କ ଧର୍ମଘଟ ଯୋଗୁଁ ଖପ୍ରାଖୋଲ ବସଷ୍ଟାଣ୍ଡ ଏବଂ ମୁଖ୍ୟ ରାସ୍ତା ସମେତ ବିଭିନ୍ନ ଛକ ଅଂଚଳ ଶୁନ୍‌ସାନ୍‌ ରହିବା ସହିତ ଏକ ପ୍ରକାର ଖପ୍ରାଖୋଲ ବନ୍ଦ ପରି ଲାଗୁଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭରଙ୍କ ପାଇଁ ୨୦ ଲକ୍ଷ ଟଙ୍କା ବୀମା ରାଶି, ଅକର୍ମଣ୍ୟ ହୋଇପଡିଥିବା ଡ୍ରାଇଭର ପାଇଁ ୧୦ଲକ୍ଷ ଟଙ୍କାର ବୀମାରାଶି ଏବଂ ଚିକିତ୍ସା ଖର୍ଚ୍ଚ ୫ ଲକ୍ଷ ବ୍ୟବସ୍ଥା କରିବା, ୫୫ ବର୍ଷ ପରେ ପେନ୍‌ସନ୍‌ ଲାଗୁ କରିବା, ଜନସାଧାରଣଙ୍କର ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ, ପ୍ରତି ୧୦୦ କିମି ବ୍ୟବଧାନରେ ପାର୍କିଂ, ବିଶ୍ରାମାଗାର ଏବଂ ଶୌଚାଳୟ ନିର୍ମାଣ କରିବା, ରାଜରାସ୍ତା ଉପରେ ପ୍ରଶାସନ ଡ୍ରାଇଭରଙ୍କୁ ହଇରାଣ ନକରିବା, ଡ୍ରାଇଭରଙ୍କୁ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରିବା, ଡ୍ରାଇଭରଙ୍କ ସନ୍ତାନମାନଙ୍କ ପାଇଁ ଉଚ୍ଚ ଶିକ୍ଷା ବ୍ୟବସ୍ଥା, ଲାଇସେନ୍ସ ପାଇଁ ଥିବା ୧୫ ହଜାର ଟଙ୍କାକୁ ବାତିଲ କରି ଖୁବ୍‌କମ୍‌ ଟଙ୍କାରେ ଲାଇସେନ୍ସ ବ୍ୟବସ୍ଥା କରିବା ଏବଂ ଡ୍ରାଇଭରମାନଙ୍କୁ ଦ୍ୱିତୀୟ ସୈନିକ ମାନ୍ୟତା ଆଦି ଦାବୀ କରି ଖପ୍ରାଖୋଲ ବ୍ଲକ ଅଂଚଳର ଡ୍ରାଇଭରମାନେ ଏହି ଧର୍ମଘଟରେ ସାମିଲ ହୋଇଥିବା ବେଳେ ଖପ୍ରାଖୋଲ ବ୍ଲକ ଡ୍ରାଇଭର ମହାସଂଘର ସଭାପତି ଦିଲିପ କୁମାର ନାଏକଙ୍କ ନେତୃତ୍ୱରେ ଲାଠୋରଠାରେ ଧର୍ମଘଟ କରିଥିବା ବେଳେ ମୋହନ ଭୁଏ ଜୁରିଆଠାରେ ଧର୍ମଘଟରେ ସାମିଲ ହୋଇଛନ୍ତି । ସମ୍ପାଦକ ସନ୍ତୋଷ କୁମାର ସାହୁ, ସିମାଞ୍ଚଳ ସାହୁ, ଦେବାନନ୍ଦ ପଟ୍ଟନାୟକ, ସୁଶିଲ ଦଣ୍ଡସେନା, ଶାନ୍ତ ପୁଟେଲ, ବିନାୟକ ବନଛୋର, ନିଳମଣି ସାହୁ, ବସନ୍ତ ସାହୁ ପ୍ରମୁଖ ଖପ୍ରାଖୋଲଠାରେ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି । ପ୍ରାୟ ୨୦୦ରୁ ଅଧିକ ମାଟିଆ ପୋଷାକ ଧାରି ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଦାବୀ ପୂରଣ ନ ହେବା ପର୍ୟ୍ୟନ୍ତ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ଖପ୍ରାଖୋଲ ଡ୍ରାଇଭର ମହାସଂଘ ଆବାହକ ଧନୁର୍ଦ୍ଧର ବାରିକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

2 × five =