pakka

ଦୁର୍ବୃତ୍ତଙ୍କୁ ଧରିବା ବେଳେ ପୁଲିସ ଉପରକୁ ବୋମା ମାଡ଼

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହର ଉପକଣ୍ଠ ତଥା ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ରବିହାର ଅଞ୍ଚଳରେ ବୁଧବାର ଅପରାହ୍ନରେ ଅପରାଧୀଙ୍କୁ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଦୁଇ ମହିଳାଙ୍କ ସମେତ ମୋଟ ୫ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି ପୋଲିସ । ତେବେ ବୋମା ନିଷ୍କ୍ରିୟ କରୁଥିବା ବେଳେ ଫୁଟି ଯିବାରୁ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ସପ୍ତମ ଲେନରେ ସୁରେଶ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ବୋମା ମାଡ ହୋଇଥିଲା । ବ୍ୟବସାୟକୁ କେନ୍ଦ୍ର କରି ଏହି ବୋମା ମାଡ଼ ହୋଇଥିବା ଆଶଙ୍କା କରାଯାଉଛି । ଏହାର ତଦନ୍ତ କରିଥିଲା ବଡ଼ବଜାର ଥାନା ପୋଲିସ । ତଦନ୍ତ ବେଳେ ବ୍ରହ୍ମପୁରର ପୁରୁଣା ଅପରାଧୀ ଦୁନିଆ ସାହୁ, ରାକେଶ ମିଶ୍ର ଓ ଶ୍ରୀକାନ୍ତ ପଣ୍ଡା ଏହି ବୋମା ମାଡରେ ସାମିଲ ଥିଲେ ଏବଂ ସେମାନେ ଶ୍ରୀକ୍ଷେତ୍ରବିହାର ୪ର୍ଥ ଲେନ୍‌ରେ ଏକ ଭଡ଼ା ଘରେ ଲୁଚିଥିବା ପୋଲିସ ଜାଣିବାକୁ ପାଇଥିଲା । ବୁଧବାର ୧୨ଟା ବେଳେ ବଡବଜାର ଥାନାର ଏସଆଇ ରଞ୍ଜିତ ଦାସ ଓ ତାଙ୍କ ଟିମ୍‌ ସେହି ଘର ପାଖରେ ପହଞ୍ଚିଥିଲେ । ତେବେ ଏତିକି ବେଳେ ଦୁର୍ବୃତ୍ତମାନେ କବାଟ ବନ୍ଦ କରି ଭିତରେ ରହି ଯାଇଥିଲେ । ପୋଲିସ ଉପରକୁ ଫାଙ୍କା ଗୁଳି ଚଳାଇଥିବା ଶୁଣାଯାଇଥିଲା । ଦୁର୍ବୃତ୍ତଙ୍କ ଏଭଳି ପ୍ରତିରୋଧକୁ ଦେଖି ବ୍ରହ୍ମପୁର ଟାଉନ୍‌ ଏସଡିପିଓ ରାଜୀବଲୋଚନ ପଣ୍ଡା ଓ ସଦର ଏସଡିପିଓ ଶିବଶଙ୍କର ମହାପାତ୍ର, ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଓ ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କ ସମେତ ଏକ ପ୍ଲାଟୁନ ପୁଲିସ ସେହି ଘର ନିକଟରେ ପହଞ୍ଚିଥିଲେ । ଦୁର୍ବୃତ୍ତଙ୍କୁ ଆତ୍ମସମର୍ପଣ କରିବାକୁ ପୋଲିସ ପକ୍ଷରୁ ମାଇକ ଯୋଗେ ଚେତାବନୀ ଦିଆଯାଇଥିଲା । ସେହି ଘର ଭିତରୁ ଜଣେ ମହିଳା ବାହାରକୁ ଆସି ଆତ୍ମସମର୍ପଣ କରିଥିଲେ ମଧ୍ୟ ୩ ଅଭିଯୁକ୍ତ ବାହାରକୁ ଆସିନଥିଲେ । ଫଳରେ ଘରର କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲା ପୋଲିସ । କବାଟ ଭାଙ୍ଗି ଭିତରକୁ ପଶିବା ବେଳେ ଘର ଭିତରେ ଥିବା ଦୁର୍ବୃତ୍ତମାନେ ପୋଲିସ ଉପରକୁ ୨ଟି ବୋମା ଫିଙ୍ଗିଥିଲେ । ହେଲେ ବୋମା ଦୁଇଟି କବାଟରେ ବାଜି ଫୁଟିଯିବାରୁ ଏସଆଇ ରଞ୍ଜିତ ଓ ଅନ୍ୟ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହାପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲା । ସେହି ଘର ଭିତରେ ଯାଞ୍ଚ ବେଳେ ୨ଟି ବ୍ୟାଗରେ ୭ରୁ ଅଧିକ ବୋମା ଓ ୫ଟି ଖଣ୍ଡା ସହ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା । ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଉପରୋକ୍ତ ୩ ଅପରାଧୀଙ୍କ ସମେତ ପୁଲିସ ସେହି ଘରେ ଥିବା ୨ ଜଣ ମହିଳାଙ୍କୁ ମଧ୍ୟ କାବୁ କରି ଥାନାକୁ ଆଣିଥିଲା । ଅନ୍ୟପକ୍ଷରେ ସେହି ଘରୁ ମିଳିଥିବା ବୋମାଗୁଡ଼ିକୁ ନିଷ୍କ୍ରିୟ ପାଇଁ ପୁଲିସର ବୋମା ନିଷ୍କ୍ରିୟକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘର ଭିତରେ ରହି ବୋମା ଗୁଡ଼ିକୁ ନିଷ୍କ୍ରିୟ କରୁଥିବା ଟିମ୍‌ର ସଦସ୍ୟ ତଥା ହାବିଲଦାର ଅଶୋକ ପ୍ରଧାନଙ୍କ ହାତରେ ଗୋଟିଏ ବୋମା ଫୁଟି ଯାଇଥିଲା । ତାଙ୍କୁ ତୁରନ୍ତ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନିଆଯାଇଥିଲା । ସେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଏହି ବୋମା ମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦୁନିଆ ସାହୁଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।

jay balangir
Leave A Reply

Your email address will not be published.

five × 4 =